ଫସଲ ବଞ୍ଚାଇବା ଚିନ୍ତାରେ ଚାଷୀ

ବାଲେଶ୍ୱର ଅଫିସ/ ଭୋଗରାଇ,୬।୧୨(ଡି.ଏନ.ଏ)  ବାତ୍ୟା ‘ଜୱାଦ’ ପ୍ରଭାବରେ ବାଲେଶ୍ୱର ଜିଲାରେ ଦୁଇଦିନ ହେଲା ବର୍ଷା ଲାଗି ରହିଛି। ଶନିବାର ଦିନତମାମ୍‌ ଝିପି ଝିପି ବର୍ଷା ହେବା କାରଣରୁ ରବିବାର ସକାଳ ୮ଟା ସୁଦ୍ଧା ଜିଲାରେ ହାରାହାରି ୨୪ ମି.ମି. ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ନୀଳଗିରିରେ ସର୍ବାଧିକ ୨୫ମି.ମି. ଓ ଔପଦାରେ ସର୍ବନିମ୍ନ ୬ ମି.ମି. ବର୍ଷା ହୋଇଛି। ଅମାବାସ୍ୟା ତିଥି ଥିବାରୁ ସମୁଦ୍ରକୁ ପାଣି ନ ଯିବା କାରଣରୁ ଅଧିକ ଦିନ କ୍ଷେତରେ ପାଣି ଜମିରହିବା ଆଶଙ୍କା କରୁଛନ୍ତି ଚାଷୀ। ହଜାର ହଜାର ଏକର ଜମିରେ ଧାନ ସହ ପନିପରିବା କ୍ଷେତରେ ପାଣି ଜମି ରହିଛି। ଫସଲକୁ କିଭଳି ବଞ୍ଚାଇ ହେବ ସେନେଇ ଚାଷୀମାନେ ଚିନ୍ତାରେ ରହି ଜୋରଦାର ଉଦ୍ୟମ ଚଳାଇଛନ୍ତି।
କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଚଳିତବର୍ଷ ଜିଲାରେ ୧ଲକ୍ଷ ୯୬ହଜାର ୫୧୯ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ଧାନ ଅମଳ ପରେ ବିକ୍ରି କରିବା ପାଇଁ ଅନଲାଇନ୍‌ରେ ୯୪ହଜାର ୧୯୧ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ସେଥିମଧ୍ୟରେ ବାହାନଗା ବ୍ଲକର ୭,୩୫୪ ଚାଷୀ, ବାଲିଆପାଳ ୮୦୧୯, ବସ୍ତା ୭,୬୮୦, ଭୋଗରାଇ ୧୨,୦୬୪, ଜଳେଶ୍ୱର ୭,୭୧୫, ଖଇରା ୧୦,୯୫୬, ନୀଳଗିରି ୪,୦୩୯, ଔପଦା ୫,୯୬୮, ରେମୁଣା ୬,୬୫୦, ସଦର ୯,୨୪୪, ସିମୁଳିଆ ୮,୬୦୯, ସୋର ବ୍ଲକର ୫,୮୯୩ ଜଣ ଚାଷୀ ରହିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ଜିଲାର କେତୋଟି ସ୍ଥାନରେ ମଣ୍ଡି ମଧ୍ୟ ଖୋଲାଯାଇଛି। ଚାଷୀମାନେ ବିଲରୁ ହାର୍ବେଷ୍ଟର ଦ୍ୱାରା ସିଧାସଳଖ ଧାନ ଅମଳ କରି ମଣ୍ଡିରେ ଦେବା ପାଇଁ ଯେଉଁ ଆଶା ବାନ୍ଧିଥିଲେ ବର୍ଷା ଯୋଗୁ ଏହା ସମ୍ଭବ ହୋଇପାରିନାହଁି। ବାତ୍ୟା ପ୍ରଭାବରୁ ଧାନ ସହ ଅନ୍ୟାନ୍ୟ ଫସଲକୁ ବଞ୍ଚାଇବା ପାଇଁ ଚାଷ ଜମିରେ ନାଳି କରି ପାଣି ନିଷ୍କାସନ କରିବା ପାଇଁ କୃଷି ବିଭାଗ ତରଫରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଜିଲା କୃଷି ନିର୍ଦ୍ଦେଶକ ନିକୁଞ୍ଜ କିଶୋର ରାଉତ ପ୍ରକାଶ କରିଛନ୍ତି।
ସୃଷ୍ଟ ସାମୁଦ୍ରିକ ଝଡ଼ ‘ଜୱାଦ’ ଶକ୍ତି ହରାଇ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହି ବାତ୍ୟା ଧୀରେ ଧୀରେ ରବିବାର ରାତ୍ରି ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଶୁକ୍ରବାର ମଧ୍ୟରାତ୍ରିରୁ ରବିବାର ରାତି ପର୍ଯ୍ୟନ୍ତ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଅବିଶ୍ରାନ୍ତ ଝିପିଝିପି ବର୍ଷା ଲାଗି ରହିଥିଲା। ୩ ଦିନ ଧରି ଆକାଶ ମେଘାଛନ୍ନ ଥିବାବେଳେ ପାଗ କୋହଲା ରହିଛି। ଅମାବାସ୍ୟା ତିଥିରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଉତ୍ତାଳ ଢ଼େଉ କୂଳ ଆଡ଼କୁ ମାଡ଼ି ଆସି ଅଞ୍ଚଳବାସୀଙ୍କୁ ଭୟଭୀତ କରୁଛି। ତୁହାକୁ ତୁହା ବିକ୍ଷିପ୍ତ ବର୍ଷା ଲାଗି ରହିଥିବା ବେଳେ ଶୀତର ପ୍ରକୋପ ଅନୁଭୂତ ହୋଇଛି। ଏଭଳି ସ୍ଥିତିରେ ଜନଜୀବନ ପ୍ରଭାବିତ ହୋଇ ଥିବା ବେଳେ ପାଚିଲା ଧାନ ଜମିରେ ପାଣି ଜମି ରହଛି। ଫଳରେ ଫସଲ ନଷ୍ଟ ହେବାର ଆଶଙ୍କାରେ ଚାଷୀକୂଳ ଚିନ୍ତିତ ହୋଇ ପଡ଼ିଛନ୍ତି।