ଗଞ୍ଜାମ,୧୫ା୩(ବିଦ୍ୟାଧର ସାହୁ): ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ମାଟିରେ ମିଶୁଛି ଝାଳ ବୁହାଇ ଅମଳ କରିଥିବା ଟମାଟୋ। ବର୍ତ୍ତମାନ ବଜାରରେ ଟମାଟୋ ଦର ଏଭଳି ସ୍ତରକୁ ଖସି ଆସିଛି ଯେ, ଚାଷୀଟିଏ ତା’ର ଅମଳ ଖର୍ଚ୍ଚ ବି ଉଠାଇ ପାରୁନାହିଁ l ଏପରିକି ମଜୁରି ଦେବାକୁ ଅକ୍ଷମ ହେଉଥିବାରୁ ଚାଷୀ ଗଛରୁ ଟମାଟୋ ତୋଳିବାକୁ ବି ଅମଙ୍ଗ ହେଉଛନ୍ତି। ଏହି ଭଳି ଘଟଣା ଏବେ ଗଞ୍ଜାମ ବ୍ଲକ ସିପକୁଦା, ଝାରେଡ଼ି, ବିଞ୍ଛଣାପଲ୍ଲୀ ଆଦି ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଅଧିକାଂଶ ଚାଷୀ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି। ବାରମାସ ଏଠାକାର ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ଟମାଟୋ ଦର ୨ ଟଙ୍କାରୁ ୫ ଟଙ୍କାକୁ ଖସି ଆସିଛି ଏବଂ ବେପାରୀ ନେବା ପାଇଁ ମଧ୍ୟ ଅମଙ୍ଗ ହେଉଛନ୍ତି । ଗୋଟେ ଟ୍ରେ’ରେ ୨୭ କିଲୋ ଟମାଟୋ ରହୁଥିବା ବେଳେ ୫୦ରୁ ୬୦ ଟଙ୍କାରେ ନେବା ପାଇଁ ଅମଙ୍ଗ ହେଉଛନ୍ତି ବେପାରୀ। ବିଲରୁ ଟମାଟୋ ତୋଳିବା ପାଇଁ ଯେତିକି ଶ୍ରମିକ ମଜୁରି ଲାଗୁଛି ବିକ୍ରି କରିବା ପରେ ବି ସେତିକି ଟଙ୍କା ମିଳୁ ନ ଥିବା ଚାଷୀ କହିଛନ୍ତି। ଏପରିକି ଅନେକ ଚାଷୀ ଗଛରୁ ଟମାଟୋ ତୋଳିବାକୁ ନାରାଜ ହେଉଥିବା ବେଳେ କିଛି ଚାଷୀ ରାସ୍ତାକଡ଼ରେ ଜମା କରିରଖିଥିବା ଦେଖିବାକୁ ମିଳିଛି। ଚାଷୀଙ୍କ କହିବା କଥା ଯଦି ଶୀତଳ ଭଣ୍ଡାର ରହିଥାନ୍ତା ତେବେ ତାହାକୁ ସେମାନେ ସଂରକ୍ଷଣ କରି ରଖିପାରିଥାନ୍ତେ। ଏହାର ଅଭାବ ହେତୁ ଚାଷୀ ତା’ର ଅମଳ ଟମାଟୋକୁ ସାଇତି ରଖିପାରୁନାହିଁ ଏବଂ ପଚିଯିବା ଭୟରେ କମ୍ ଦରରେ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି। ବିକ୍ରିର କିଛି ସୁବିଧା ନ ଥିବାରୁ ଚାଷୀ ସିଧାସଳଖ ଖାଉଟିଙ୍କ ପାଖକୁ ଯାଇପାରୁନାହାନ୍ତି। ଯାହାର ସୁଯୋଗ ନେଇ ମଧ୍ୟସ୍ଥିମାନେ ଶସ୍ତାରେ ମାଲ କିଣୁଛନ୍ତି। ହତାଶ ହୋଇପଡ଼ିଥିବା ଚାଷୀମାନେ ସରକାରଙ୍କ ନିକଟରେ କ୍ଷତିପୂରଣ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଦାବି ହୋଇଛି। ଯଦି ସରକାର ଆଗାମୀ ଦିନରେ ଚାଷୀଙ୍କଠାରୁ ସିଧାସଳଖ ଟମାଟୋ କିଣିବା ପାଇଁ ବ୍ୟବସ୍ଥା ନ କରନ୍ତି ତେବେ ଚାଷୀ ଆର୍ଥିକ କ୍ଷତିଗସ୍ତ ହେବେ। ଏହି ଅଞ୍ଚଳ ଚାଷୀମାନଙ୍କ ଏହା ଦୀର୍ଘଦିନର ଯନ୍ତ୍ରଣା।
ପ୍ରତିବର୍ଷ ଅଧିକ ଅମଳ ହେଉଥିଲେ ମଧ୍ୟ ସ୍ଥାନୀୟ ବଜାରରେ ଚାହିଦା ଅପେକ୍ଷା ଯୋଗାଣ ଅଧିକ ହେଉଥିବାରୁ ଦର କମ୍ ରହୁଛି। ଅଧିକାଂଶ ଚାଷୀ ମହାଜନମାନଙ୍କଠାରୁ ଋଣ ଆଣି ଚାଷ କାର୍ଯ୍ୟ କରିଥାନ୍ତି l କେମିତି ଶୁଝିବେ ଚାଷୀଙ୍କୁ ଏବେ ଚିନ୍ତା ଘାରିଛି। ସରକାର ଯଦି ବିକ୍ରିର ବ୍ୟବସ୍ଥା ଏବଂ ଶୀତଳଭଣ୍ଡାରର ବ୍ୟବସ୍ଥା କରିଥିଲେ ଚାଷୀ ପାଇଁ ଲାଭବାନ ହୋଇଥାନ୍ତା କିନ୍ତୁ ତାହା ବହୁବାର ଦାବି ହୋଇଆସୁଥିଲେ ବି ଫଳ ଶୂନ। କେବଳ ସିପକୁମା ନୁହେଁ ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନେ ଅକ୍ଲାନ୍ତ ପରିଶ୍ରମ କରି ଟମାଟୋ ଚାଷ କରିଥାନ୍ତି l କିନ୍ତୁ ବିକ୍ରି ସମୟରେ ପୁଣି ସେହି ପୁରୁଣା ସମସ୍ୟା ଦେଖାଦେଉଛି। କ୍ଷେତରେ ଟମାଟୋ ପଡ଼ିରହିଛି କିନ୍ତୁ କିଣିବାକୁ ଗ୍ରାହକ ନାହାନ୍ତି କି ବେପାରୀ ବି ଆସୁନାହାନ୍ତି। ଏଠାରୁ ଅମଳ ହେଉଥିବା ଟମାଟୋକୁ ବାହାର ରାଜ୍ୟ କିମ୍ବା ବଡ଼ ସହରକୁ ପଠାଇବା ପାଇଁ କୌଣସି ବ୍ୟବସ୍ଥା ନାହ। ଶୀତଳଭଣ୍ଡାରର ଅଭାବ। ନଚେତ୍ ସରକାରୀସ୍ତରରେ ସିଧାସଳଖ କ୍ରୟ ବ୍ୟବସ୍ଥା କରାଗଲେ ଚାଷୀ ମଧ୍ୟସ୍ଥି କବଳରୁ ମୁକ୍ତି ପାଇ ଉଚିତ ଦର ପାଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି।