ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର ଲକ୍ଷ୍ମୀଟକିଜଛକ, ଅଇଁଠାପାଲିଛକ, କଚେରୀଛକ ଆଦି ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ଆଦି ବ୍ଯବସାୟିକ ଅନୁଷ୍ଠାନ ସହିତ ସ୍କୁଲ, କଲେଜ ଆଦିକୁ ବନ୍ଦ କରିଛନ୍ତି । ଦିନ ଗଡ଼ିବା ସାଙ୍ଗକୁ ଚାଷୀମାନେ ପିକେଟିଂ କରି ବସ ଚଳାଚଳ, ସମସ୍ତ ସରକାରୀ ଓ ବେସରକାରୀ, ବ୍ଯାଙ୍କ, ବୀମା, ଅଦାଲତ ଆଦିକୁ ମଧ୍ଯ ସମ୍ପୂର୍ଣ ବନ୍ଦ କରିଛନ୍ତି । ସହରରେ ସମସ୍ତ ପେଟ୍ରୋଲ ଟାଙ୍କି ମଧ୍ୟ ବନ୍ଦ ରହିଛି। ହେଲେ ଜାତୀୟ ରାଜପଥ, ଟ୍ରେନଯାତ୍ରାକୁ ବନ୍ଦକୁ ବାଦ ଦିଆଯାଇଛି।

ସେହିପରି ସରକାରୀ ଓ ଘରୋଇ ଡାକ୍ତରଖାନାରେ ସ୍ବାଭାବିକ ଭାବେ ରୋଗିସେବା ଅବ୍ଯାହତ ରହିଥିବା ବେଳେ, ଔଷଧ ଦୋକାନ ଖୋଲା ରହିଛି ଓ ଆମ୍ବୁଲାନ୍ସ, ଦମକଳ, ଦୁଇଚକିଆ ଓ ଛୋଟ ଚାରିଚକିଆ ଯାନ ସ୍ବାଭାବିକ ଭାବେ ଚଳାଚଳ କରୁଥିବା ଦେଖା ଯାଇଛି । ସମସ୍ତ ଜରୁରୀକାଳୀନ ସେବାକୁ ଛାଡି ଦେଲେ ସହରରେ ସବୁ ବନ୍ଦ ରହିଛି। ପୂର୍ବରୁ ଚାଷୀ ଦୁଇ ଦୁଇ ଥର ଜାତୀୟ ରାଜପଥ ବନ୍ଦ କରିଥିଲେ ସେଥିପାଇଁ ଆଉ ଜାତୀୟ ରାଜପଥ ବନ୍ଦ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

ସେପଟେ ଏହି ବନ୍ଦକୁ ସମର୍ଥନ କରି ସହରର ବିଭିନ୍ନ ସଙ୍ଗଠନ ସହ ବିଜେଡି ଓ କଂଗ୍ରେସ ମଧ୍ୟ ବନ୍ଦରେ ସାମିଲ ହେଇଛନ୍ତି । ଚାଷୀମାନେ ସମ୍ବଲପୁର ସହର ସହ ସହର ଉପକଣ୍ଠସ୍ଥ ସିନ୍ଦୁରପଙ୍କ ତଥା ଜିଲ୍ଲାର କୁଚିଣ୍ଡା, ରେଢ଼ାଖୋଲ, ଜମନକିରା, ପଡ଼ିଆବାହାଲ, ଗୋଶାଲା ଅଞ୍ଚଳରେ ମଧ୍ୟ ବନ୍ଦ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ବ୍ଯାପକ ପୋଲିସ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ଏପରିକି ଜିଲା ପ୍ରଶାସନ ଓ ପୋଲିସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।

 

Dharitri – Odisha’s No.1 Odia Daily

Share