ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣକ ଜମିରେ କୀଟନାଶକ ସିଞ୍ଚନ ବେଳେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ଜଣାପଡିଛି ।

ସୂଚନା ଅନୁସାରେ, ମୃତକ ହେଲେ ତାମଡା ଲକ୍ଷ୍ମୀନାରାୟଣ (୫୬) । ସେ ଚାଷ ଜମିରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ ସେ ଶୁକ୍ରବାର ଜମିରେ କୀଟନାଶକ ଔଷଧ ସିଞ୍ଚନ କରିଥିଲେ । ଏହାପରେ ନିଜ ଘରକୁ ଆସି ଶୋଇପଡିଥିଲେ । ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ନ ଉଠିବାରୁ ପରିବାର ଲୋକେ ଉଠାଇଥିଲେ । ହେଲେ ସେ ନ ଉଠିବାରୁ ଘର ଲୋକେ ସନ୍ଦେହ କରିଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଏନେଇ ଗୁରାଣ୍ଡି ଥାନାରେ ୪/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଆଜି ଶବକୁ ବ୍ୟବଚ୍ଛେଦ କରି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି । ଏହି ଘଟଣାର ତଦନ୍ତ ଏସ୍ଆଇ ଅମ୍ବିକା ବେଣିଆ ତଦନ୍ତ କରୁଛନ୍ତି । ଅପରପକ୍ଷେ ତାମଡା ଲକ୍ଷ୍ମୀନାରାୟଣ ଜଣେ ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ପରିବାରରେ ଦିବ୍ୟାଙ୍ଗ ପୁଅ ଓ ସ୍ତ୍ରୀ ରହିଛନ୍ତି । ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି ପରିବାରବର୍ଗ । ତେଣୁ ସରକାରୀ ସହାୟତା ପ୍ରଦାନ କରାଗଲେ ତାଙ୍କ ପରିବାରବର୍ଗ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି ।

 

Dharitri – Odisha’s No.1 Odia Daily

Share