ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ ): ଓଡ଼ିଶା କ୍ଷେତ ମଜଦୁର ସଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ବ୍ଲକ ମୁଖ୍ୟ ଫାଟକ ସମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏ ନେଇ ସଙ୍ଘର କର୍ମକର୍ତ୍ତା ବିଡିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ତଥା ନିତ୍ୟ ଅପରିହାର୍ଯ୍ୟ ଜିନିଷର ଅହେତୁକ ମୂଲ୍ୟ ବୃଦ୍ଧି ହୋଇଛି। ଭାଜପା ସରକାର ଆସିଲେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ମାସିକ ତିନିହଜାର ବୃଦ୍ଧି, ତିନିଶହ ୟୁନିଟ ମାଗଣା ବିଜୁଳି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାବତ୍ ପ୍ରତିଶୃତି ପାଳନ କାହିଁକି କରୁନି ବୋଲି ସିପିଆଇଏମ ନେତା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ ପ୍ରଶ୍ନ କରିଥିଲେ। ରାଜ୍ୟରେ ପ୍ରାୟ ୭୦ ଭାଗ ଜମି ଭାଗ ଚାଷୀଙ୍କ ଦ୍ୱାରା ଚାଷ କରୁଛନ୍ତି କିନ୍ତୁ ଭାଗ ଚାଷୀ ପାଇଁ ସରକାରଙ୍କ ଆଇନଗତ ବ୍ୟବସ୍ଥା ନାହିଁ ବୋଲି ବରିଷ୍ଠ କ୍ଷେତ ମଜଦୁର ସଙ୍ଗ ପକ୍ଷରୁ ଅଭିଯୋଗ ହୋଇଛି । ବିକ୍ଷୋଭ ପ୍ରଦର୍ଶନ ବେଳେ କ୍ଷେତ ମଜଦୁର ସଙ୍ଘ ବ୍ଲକ ସଭାପତି ପଦ୍ମ ଚରଣ ପ୍ରଧାନ, ଦିଲ୍ଲୀପ କୁମାର ଛୋଟରାୟ, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ, ବିନାୟକ ସିଠ, ଗଙ୍ଗାଧର ରେଡି, ଖଲି ତରାଇ, ପ୍ରଫୁଲ୍ଲ ସ୍ବାଇଁ, କୃଷ୍ଣ ଗୌଡ଼, ଖଲି ସ୍ବାଇଁ, ତ୍ରିନାଥ ତରାଇଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


