ଦାରିଙ୍ଗବାଡ଼ି,୨୧ା୧୧(ଅରୁଣ ସାହୁ): ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ବିୟୋଗ ପରେ ତାଙ୍କ ଫ୍ୟାନ୍ମାନଙ୍କ ମଧ୍ୟରେ ଅନେକ ଚିନ୍ତା ବଢ଼ିଛି। ତାଙ୍କ ସଙ୍ଗୀତକୁ ସମସ୍ତେ ମନେ ପକାଉଥିବାବେବେଳେ ତାଙ୍କ ସମସ୍ତ ସ୍ମୃତିକୁ ସାଉଁଟିବାରେ ଲାଗିଛନ୍ତି ତାଙ୍କ ସମର୍ଥକ ଓ ଫ୍ୟାନମାନେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଜଣେ ଚିତ୍ରକାରଙ୍କ କ୍ଷେତ୍ରରେ।
ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମର ଚିତ୍ରକାର ସୁନୀଲ ବିନ୍ଧାଣି ନିଜ ତୂଳୀରେ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ଜୀବନ୍ତ ଚିତ୍ର ଆଙ୍କି ଏବେ ଅଞ୍ଚଳରେ ପ୍ରଂଶସା ସାଉଁଟିବାରେ ଜଣାପଡ଼ିଛି। ସେ ହ୍ୟୁମାନ ସାଗରଙ୍କ ବଡ଼ ଫ୍ୟାନ୍ ବୋଲି କହିବା ସହ ସେ ତାଙ୍କ ବିୟୋଗ ପରଠାରୁ ଭାଙ୍ଗି ପଡ଼ିଥିଲେ ଓ ସେ ଗୁରୁବାର ତାଙ୍କ ଚିତ୍ର ଆଙ୍କିବା ପାଇଁ ସ୍ଥିର କରି ଶୁକ୍ରବାର ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ପରିସର ମଧ୍ୟରେ ହ୍ୟୁମାନ ସାଗରଙ୍କ ଏକ ଚିତ୍ର ଅତି ସୁନ୍ଦର ଭାବେ ଆଙ୍କିଛନ୍ତି। ଯିଏ ଦେଖୁଛି ସିଏ କହୁଛି ମିସ୍ ହ୍ୟୁମାନ ଭାଇ ଆଉ ହିଲଭିୟୁ ପାର୍କକୁ ଆସୁଥିବା ସମସ୍ତ ପର୍ଯ୍ୟଟକ କିଛି ସମୟ ସେହି ନିକଟରେ ଅଟକି ହ୍ୟୁମାନଙ୍କୁ ମନେ ପକାଉଥିବା ଓ ତାଙ୍କ ସ୍ମୃତିଚାରଣ କରୁଥିବା ଜଣାପଡ଼ିଛି।