ମହାକାଳପଡ଼ା,୧୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୬୦ ବର୍ଷ ପୂର୍ବେ ବଙ୍ଗୋପସାଗର କୂଳରେ ଜଗରିଜୋର ହାଟ ଜଙ୍ଗଲ, ନଦୀନାଳ ଘେରା ଅଞ୍ଚଳରେ ପରିପୂର୍ଣ୍ଣ ଥିଲା। ଏହି ସମୟରେ ଅଞ୍ଚଳରେ ଓଡ଼ିଆ, ବଙ୍ଗୀୟମାନଙ୍କ ବାସସ୍ଥଳୀ ମଧ୍ୟରେ ଜଗରିଜୋର ସାପ୍ତାହିକ ହାଟଥିଲା। ବିଭିନ୍ନ ଅଞ୍ଚଳରୁ ଏହି ହାଟକୁ ବ୍ୟବସାୟୀମାନେ ପସରା ମେଲାଇବାକୁ ଆସିଥାନ୍ତି। ଅପରପକ୍ଷରେ ଏହି ଅଞ୍ଚଳରେ ଓଡ଼ିଆ, ବଙ୍ଗୀୟମାନେ ବସବାସ କରୁଥିଲେ। ପଶ୍ଚିମବଙ୍ଗ ଅଞ୍ଚଳର ବଙ୍ଗୀୟମାନଙ୍କ ଆରାଧ୍ୟା ଦେବୀ ମା’ ଦକ୍ଷିଣକାଳୀ। ସେଥିପାଇଁ ସେମାନେ ପ୍ରଥମେ ଦକ୍ଷିଣ ଶ୍ୟାମାକାଳୀ ପୂଜା କରିବାକୁ ମୁରବି ନକୁଳ ମଣ୍ଡଳଙ୍କୁ ପ୍ରସ୍ତାବ ଦେଇଥିଲେ। ପରେ ଓଡ଼ିଆ, ବଙ୍ଗୀୟ ଭାଇମାନେ ମିଳିତ ହୋଇ ଜଗରିଜୋରଠାରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ପରେ ମା’ଙ୍କର ଏକ ମନ୍ଦିର ନିର୍ମାଣ କରି ପଥର ମୂର୍ତ୍ତି ସ୍ଥାପନ କରାଇ ମା’ ଶ୍ୟାମାକାଳୀ ପୂଜା ପାଇ ଆସୁଛନ୍ତି। ପ୍ରତିବର୍ଷ ଦୀପାବଳି ଅମାବାସ୍ୟାରେ ୭ ଦିନ ଧରି ପୂଜା ସହ ମେଳା ଅନୁଷ୍ଠିତ ହୋଇଥାଏ।
ମଙ୍ଗଳବାର, ଶନିବାର ମା’ଙ୍କ ବିଶେଷ ପୂଜା ନୀତି ରହିଛି। ମାନସିକଧାରୀମାନେ ଏହିଦିନ ମା’ଙ୍କ ପୀଠରେ ଫୁଟି, କାକୁଡି, ଅନ୍ନ, ଡାଲମା, ଖିରି, ଖେଚୁଡ଼ି, ଫଳ ଭୋଗ ଲାଗି ହୋଇଥାଏ। ପ୍ରତିଦିନ ରାତି ୩ଟାରୁ ପହଡ଼ ଖୋଲିଲେ ମଙ୍ଗଳ ଆଳତି ଓ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ ହୁଏ। ମା’ଙ୍କ ଗଳାରେ ୭ଟି ରକ୍ତ ଓ ଚନ୍ଦନ ଜବା ଫୁଲ ହାର ପିନ୍ଧାଯାଏ। ଯଥାକ୍ରମେ ୩୫୦, ୩୧୦,୨୫୦, ୧୨୦, ୧୧୫, ୧୧୦, ୬୦ ଫୁଲ ହାର ଗୁନ୍ଥାରେ ଶୋଭା ବର୍ଦ୍ଧନକରେ। ଅପରପକ୍ଷରେ ଏଠାରେ ବଡ଼ କଥା ହେଲା କୌଣସି ଲୋକ ସତ୍ୟ କି ମିଥ୍ୟା ତଥ୍ୟ ଅଭିଯୋଗ ଆସିଲେ ମା’ଙ୍କ ପୀଠରେ ସତ୍ୟ କଥା ପ୍ରକାଶ କରନ୍ତି। ନଚେତ୍ ମିଥ୍ୟା କହିଲେ ତାର ଅମଙ୍ଗଳ ହୋଇ ବଡ଼ଧରଣର କ୍ଷତି ହୋଇଥାଇ ବୋଲି ଅନେକ ଉଦାହରଣ ରହିଛି। ସେହିପରି କିଛିବର୍ଷ ପୂର୍ବେ ମା’ଙ୍କ ମନ୍ଦିରରୁ କିଛି ଟଙ୍କା, ସୁନା ଗହଣା ବାକ୍ସ ଭାଙ୍ଗି ଲୁଟେରା ଲୁଟି ନେଇଥିଲେ। ପରବର୍ତ୍ତୀ ସମୟରେ କିଛିମାସ ମଧ୍ୟରେ ସେମାନଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି। ଏହି ଅଞ୍ଚଳର ସୁନିତି, ଗଗୁଆ, କେବିଦାଣ୍ଡୁଆ, ଜମ୍ବୁ, ନାଞ୍ଜୁରା ଅଞ୍ଚଳ ସମେତ ରାଜନଗର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ପାରାଦୀପ ସମେତ ପଶ୍ଚିମବଙ୍ଗ ଅଞ୍ଚଳର ମାନସିକ ଶ୍ରଦ୍ଧାଳୁମାନେ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ପ୍ରତି ସାରେ ଏକ ଘଣ୍ଟାରୁ ଅଧିକ ଆଳତି ହୁଏ। ଏହା ପାଇଁ ସ୍ବତନ୍ତ୍ର ପୂଜକ ନିୟୋଜିତ ହୋଇଛନ୍ତି। ଜଗରିଜୋର ଜନକଲ୍ୟାଣ ହାଟ କମିଟି ଏହାକୁ ପରିଚାଳନା କରୁଛନ୍ତି। ହାଟ କଙ୍କଡା, ଶୁଖୁଆ ପାଇଁ ପ୍ରସିଦ୍ଧ ରହିଛି। ଇଲିଶି, ଖଙ୍ଗା, ବେକ୍ଟା, ଚିଙ୍ଗୁଡ଼ି, ଖାସୁଲି ସମେତ ବିଭିନ୍ନ ପ୍ରକାରର ଶୁଖୁଆ ବେପାରୀଙ୍କ ଭିଡ଼ ଲାଗେ। କୋଲକାତା, କଟକ ବସ୍ରେ ବିଭିନ୍ନ ସ୍ଥାନକୁ ଲୋକମାନେ ନେଇଥାନ୍ତି। ଅପରପକ୍ଷରେ ମା’ଙ୍କ ପୀଠରେ କାଳୀପୂଜା ଅବସରରେ ଅପେରା ପାର୍ଟି ପଡିଥାଏ।