ବୁଗୁଡ଼ା,୨୮।୩(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଅଧୀନ ପୋଚାଲୁଣ୍ଡି ଏବଂ ଭାମଶ୍ୟାଳି ଗ୍ରାମରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଯାତ୍ରାର ପ୍ରଥମ ଦିନରେ ଦଣ୍ଡ ଉଠୁଥିବା କାଳୀ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ସହ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗ୍ରାମରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବା ପରେ ପଇତାପକା, ଅପରାହ୍ନରେ ଦାଣ୍ଡ ଭ୍ରମଣ, ଧୂଳି ଦଣ୍ଡ, ପାଣିଦଣ୍ଡ ଓ ସନ୍ଧ୍ୟାରେ ଆଳତି ସହ ରାତିରେ ଦଣ୍ଡୁଆଙ୍କ ଅନ୍ନ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ହୋଇଥିଲା।
ଚଳିତ ବର୍ଷ ପାଟଭୋକ୍ତା ଝୁରିଆ ସାହୁ ଓ ପୂଜାରୀ ଅରକ୍ଷିତ ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଚାଲୁଣ୍ଡି ଦଣ୍ଡଯାତ୍ରା ଏବଂ ପାଟଭୋକ୍ତା ଭଗବାନ ଗୌଡ଼ ଓ ପୂଜାରୀ ବାଦଲ ଗୌଡ଼ଙ୍କ ନେତୃତ୍ୱରେ ଭାମଶ୍ୟାଳି ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଛି। ଦଣ୍ଡଯାତ୍ରାରେ ଉଭୟ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ ।
ଚଳିତ ବର୍ଷ ପୋଚାଲୁଣ୍ଡି ଦଣ୍ଡଯାତ୍ରା ପରିଚାଳକ ଚିନ୍ତାମଣି ବିଷୋୟୀଙ୍କ ତତ୍ତ୍ବାବଧାନରେ ସାମାଜିକ ନାଟକ “କହିବାକୁ ଲାଜ ଶୁଣିଲେ ପାପ ” ଏବଂ ଭାମଶ୍ୟାଳି ଦଣ୍ଡଯାତ୍ରା କମିଟି ସଭାପତି ସୁନୀଲ କୁମାର ପାଢର, ସମ୍ପାଦକ ମୁରଲୀଧର ସାମଲ ଓ ପରିଚାଳକ ନାରାୟଣ ପୋଲେଇଙ୍କ ତତ୍ତ୍ବାବଧାନରେ ନାଟକ ‘ହାଏ କୃଷ୍ଣ ବୋଲି ଯାଉ ଜୀବନ’ ମଞ୍ଚସ୍ଥ ହେଉଛି। ଦଣ୍ଡଯାତ୍ରା ପରିଚାଳନାରେ ଗ୍ରାମବାସୀ ସହଯୋଗ କରୁଛନ୍ତି।


