ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକାରେ ପଲ୍ସ ଏଣ୍ଟ୍ରି ନୂଆ ନୁହେଁ, ଏଭଳି ଫଲ୍ସ ଏଣ୍ଟ୍ରିର ପ୍ରମାଣ ଗତ ମଙ୍ଗଳବାର ଧରିତ୍ରୀକୁ ମିଳିଥିଲା । ବୁଧବାର ଧରିତ୍ରୀରେ ସଚିତ୍ର(ଯୋଗାଣ ବିଭାଗ ପକ୍ଷରୁ ଇସ୍ୟୁ ହୋଇଥିବା ଟ୍ରାନଜିଟ୍ ପାସ୍ କମ୍ ଏକସେପଟେନ୍ସ ନୋଟ୍ କପି) ଖବର ପ୍ରକାଶ ପାଇବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି । ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ମଧ୍ୟ ଘଟଣାକୁ ଗୁରୁତ୍ୱର ସହିତ ନେଇଥିଲେ ଏବଂ ଧରିତ୍ରୀରେ ଗୁରୁବାର ଖବର ପ୍ରକାଶ ପାଇବା ଦିନ ହିଁ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଆଚାର୍ଯ୍ୟ ଏଥିପାଇଁ ବରଗଡ଼ ସଦର ଏବଂ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀ(ଏସିଏସ୍ଓ)ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରିଥିଲେ । ସମ୍ପୃକ୍ତ ଟିମ୍ ଇତିମଧ୍ୟରେ ତଦନ୍ତ ସାରିଥିବାବେଳେ ତଦନ୍ତ ରିପୋର୍ଟ ମଧ୍ୟ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କୁ ଦେଇଥିଲେ ଏବଂ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ସେହି ତଦନ୍ତ ରିପୋର୍ଟକୁ ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ସେହି ରିପୋର୍ଟର ତର୍ଜମା କରି ୨ବିଭାଗୀୟ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉଭୟ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।
ସମ୍ପୃକ୍ତ କର୍ମଚାରୀମାନେ ହେଲେ ପଦ୍ମପୁର ଆରଏମସି ଅଧିନ ବିଜେପୁର ବ୍ଳକ ବଡ ବାଉଁଶେନ ପ୍ରାଥମିକ କୃଷି ସମବାୟ ସମିତି ଅଧିନ ଖରମୁଣ୍ଡା ଧାନକ୍ରୟ କେନ୍ଦ୍ର (ମଣ୍ଡି)ର ଇନଚାର୍ଜ ମୀନକେତନ ସାହୁ ଏବଂ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ରଞ୍ଜନ କୁମାର ସାହୁ । ସେହିପରି ଏଭଳି ଅନିୟମିତତାରେ କେବଳ ୨ତଳିଆ କର୍ମଚାରୀଙ୍କୁ ନିଳମ୍ବିତ କରିଆବଡବଡିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।