ପତନମୁଖୀ କଂଗ୍ରେସ

ନିକଟ ଅତୀତରେ କର୍ନାଟକ ଓ ମଧ୍ୟପ୍ରଦେଶ ସରକାରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରାଯାଇ ସରକାରକୁ ଭଙ୍ଗାଯାଇଥିଲା। ଉଭୟ ରାଜ୍ୟରେ ଭାଜପା ସରକାର ଗଢ଼ିବାରେ ସକ୍ଷମ ହୋଇଥିଲା। ଏବେ ରାଜସ୍ଥାନରେ ଅଶୋକ ଗେହଲଟ ସରକାରକୁ ଟଳମଳ କରିବାରେ ସେହି ଭାଜପାର ହାତ ଅଛି ବୋଲି କୁହାଯାଉଛି। କିନ୍ତୁ କଂଗ୍ରେସର ଏଭଳି ଅଭିଯୋଗକୁ ଭାଜପା ଖଣ୍ଡନ କରିଛି। ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଥିବା ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଦାବିଦାର ଥିବା ବେଳେ ତାଙ୍କୁ ଉକ୍ତ ପଦବୀ ନ ମିଳିବା ଦିନଠାରୁ ସେ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ ବୋଲି ଅନେକ ଥର ଗଣମାଧ୍ୟମରେ ପ୍ରକାଶ ପାଇଛି। ୧୦ ଜୁଲାଇରେ ରାଜସ୍ଥାନ ପୋଲିସର ସ୍ବତନ୍ତ୍ର ଅପେରଶନ ଗ୍ରୁପ୍‌ (ଏସ୍‌ଓଜି) ସଚିନଙ୍କୁ ଏକ ନୋଟିସ ଦେଇଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ଗେହଲଟ ସରକାରକୁ ଭାଙ୍ଗିବା ପାଇଁ ସେ ମସୁଧା ଚଳାଉଥିବାରୁ ତାଙ୍କ ବିବୃତି ରେକର୍ଡ କରାଯିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ରାଜ୍ୟର ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ଗେହଲଟ ନିଜ ଅଧୀନରେ ରଖିଛନ୍ତି। ସେଭଳି ପରିସ୍ଥିତିରେ ଉପମୁଖ୍ୟମନ୍ତ୍ରୀଙ୍କ ଜେରା ପାଇଁ ନୋଟିସ୍‌ ଯିବା ନିଶ୍ଚିତ ଭାବେ ଅଶୋଭନୀୟ। କାରଣ ଏତେବଡ଼ ପଦକ୍ଷେପ ନେବା ପାଇଁ କୌଣସି ପୋଲିସ ଅଫିସରଙ୍କ ଆସ୍ପର୍ଦ୍ଧା ହେବ ନାହିଁ, ଯଦି ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନ ଥିବ। ତେବେ ଉକ୍ତ ନୋଟିସ ପାଇବା ପରେ ସଚିନ ଖପ୍ପା ହୋଇଥିଲେ ଓ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଇ ଏବେ ଦିଲ୍ଲୀରେ ଅଛନ୍ତି। ସଚିନ ଦାବି କରିଛନ୍ତି ଯେ ତାଙ୍କୁ ୩୦ ବିଧାୟକ ସମର୍ଥନ କରୁଛନ୍ତି। ଅନ୍ୟପକ୍ଷରେ ଗେହଲଟ ୧୩ ଜୁଲାଇରେ ବିଧାୟକ ଦଳ ବୈଠକ ଡାକିଥିଲେ ଓ ସେଥିରେ ୧୦୯ ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଘୋଷଣା କରିଛନ୍ତି। ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭାର ସଂଖ୍ୟା ସ୍ଥିତି ଦେଖିଲେ କଂଗ୍ରେସର ୧୦୭ ବିଧାୟକଙ୍କ ସହ ଭାରତୀୟ ଟ୍ରାଇବାଲ ପାର୍ଟି(ବିଟିପି) ୨, ସିପିଏମ୍‌ ୨, ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ୨ ଏବଂ ସ୍ବାଧୀନ ୧୨ ବିଧାୟକଙ୍କ ସମର୍ଥନରେ ସରକାର ଗଠନ ହୋଇଛି। ଅନ୍ୟପକ୍ଷେ ଭାଜପାର ୭୨ ବିଧାୟକ ଥିବା ବେଳେ ବିରୋଧୀ ସହ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲ୍‌ପି)ର ୩ ଏବଂ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି। ଏଭଳି ସ୍ଥଳେ ସଚିନ ଦାବି କରୁଥିବା ୩୦ ବିଧାୟକଙ୍କ ମଧ୍ୟରୁ ୪ ଜଣ ସ୍ବାଧୀନ ଥିବା ବେଳେ ୨୬ ଜଣ କଂଗ୍ରେସର ରହିଛନ୍ତି। କିନ୍ତୁ ଗେହଲଟ ୧୦୯ ବିଧାୟକଙ୍କ ସମର୍ଥନ ଥିବା ବିଷୟ ଯାହା କହୁଛନ୍ତି ସଂଖ୍ୟା ସମୀକରଣ ସ୍ପଷ୍ଟ ଚିତ୍ର ଦେଉ ନ ଥିବା ବୁଝାପଡ଼ିଯାଉଛି।
ଏହି ପରିପ୍ରେକ୍ଷୀରେ ରାଜସ୍ଥାନର ରାଜନୈତିକ ଗୋଳିଆ ପାଣିରୁ ମାଛ ଧରିବା ଲାଗି ଭାଜପା ଅଣ୍ଟା ଭିଡ଼ିବା ସ୍ବାଭାବିକ। ଆଲୋଚନା ହେଉଛି ଯେ ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆ ଯେଭଳି ତାଙ୍କ ସମର୍ଥକଙ୍କ ସହ ଭାଜପାକୁ ଡେଇଁ କମଲ ନାଥ ସରକାରର ପତନ ଆଣିଥିଲେ, ସମାନ ଧରଣରେ ସଚିନ ପାଇଲଟ ଭାଜପାରେ ମିଶି ଗେହଲଟଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ଚିନ୍ତା କରୁଛନ୍ତି। ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି ଯେ, ସଚିନ ଭାଜପାରେ ମିଶିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ମିଳିବ ନାହିଁ। ଏହି ବିଷୟରେ ଦେଶବାସୀ ଅଳ୍ପ ବହୁତେ ସଚେତନ ହୋଇ ସାରିଲେଣି। କଂଗ୍ରେସକୁ ଭାଙ୍ଗି ଛାରଖାର କରିଦେଲେ ଦୀର୍ଘଦିନ ଶାସନ କରିହେବ ବୋଲି ଭାଜପା ହିସାବ କରୁଛି। ଦେଖିବାକୁ ଗଲେ ବିମୁଦ୍ରୀକରଣଠାରୁ କରୋନାଜନିତ ଲକ୍‌ଡାଉନ୍‌ ପର୍ଯ୍ୟନ୍ତ ସବୁ ଆଭ୍ୟନ୍ତରୀଣ ନିଷ୍ପତ୍ତିରେ ଘୋର ତ୍ରୁଟି କରିଚାଲିଥିବା କେନ୍ଦ୍ର ସରକାର ଏବେ ବହିର୍ବ୍ୟାପାରରେ ମଧ୍ୟ ପ୍ରବଳ ମାତ୍ରାର ଭୁଲ୍‌ଭଟକା କରିବାରେ ଲାଗିଛି। ଭାଜପାର ମୂଳ ଚିନ୍ତାଧାରାରେ ଆଜିର ପୃଥିବୀର ଲକ୍ଷାଧିକ ସମସ୍ୟାକୁ ସାମ୍ନା କରିବାର ବ୍ୟବସ୍ଥା କରାଯାଇ ନ ଥିଲା, ଯେଉଁଥିପାଇଁ କଂଗ୍ରେସକୁ ଭାଙ୍ଗିବା ହୋଇପଡ଼ିଛି ମୁଖ୍ୟ ଲକ୍ଷ୍ୟ। କଂଗ୍ରେସମୁକ୍ତ ଭାରତର ସ୍ଲୋଗାନ ଦେଇଆସୁଥିବା ନରେନ୍ଦ୍ର ମୋଦି ଏବେ ବୁଝିପାରୁଥିବେ ଯେ ଭାରତର ଭୋଟଦାତା ଅଧୈର୍ଯ୍ୟ। ମୋଦିଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତି ଅତ୍ୟନ୍ତ ଶକ୍ତିଶାଳୀ ଥିବା ସତ୍ତ୍ୱେ ଗତ କେତୋଟି ରାଜ୍ୟ ବିଧାନସଭା ନିର୍ବାଚନରେ ଭାଜପାର ଆଖିଦୃଶିଆ ପତନ ଘଟିଛି। ପାର୍ଲାମେଣ୍ଟ ନିର୍ବାଚନକୁ ଆହୁରି ପ୍ରାୟ ସାଢ଼େ ୩ ବର୍ଷ ଥିବା ସତ୍ତ୍ୱେ ଜାତୀୟ ଅର୍ଥନୀତିର ସ୍ଥିତି ଘୋର ଶୋଚନୀୟ ହୋଇପଡ଼ିଲାଣି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବା ପାଇଁ ଆହୁରି କିଛି ସମୟ ଲାଗିବ। ସମ୍ଭବତଃ ସେହି ସମୟ ଭିତରେ ଯେତେବେଳେ ସମସ୍ୟା ଜଟିଳ ହୋଇପଡ଼ିବ, ସେତିକିବେଳକୁ ପାର୍ଲାମେଣ୍ଟ ନିର୍ବାଚନ ମଧ୍ୟ ପାଖେଇ ଆସିଥିବ। କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ଦେଖିଲେ ମନେହେଉଛି ଯେପରି ବ୍ୟସ୍ତତା ମାଡ଼ିବସିଲାଣି। ଉଦାହରଣ ସ୍ବରୂପ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତମ ସହଯୋଗୀଙ୍କ ବାସଭବନ ଉପରେ ୧୩ ଜୁଲାଇରେ ଆୟକର ବିଭାଗ ଦ୍ୱାରା ଚଢ଼ାଉ କରାଯାଇଛି। ଏହା ରାଜନୈତିକ ପ୍ରତିଶୋଧମୂଳକ କାର୍ଯ୍ୟ ଭଳି ପ୍ରତୀୟମାନ ହେଉଛି। ଅବଶ୍ୟ ଏଠାରେ କଂଗ୍ରେସକୁ ସମର୍ଥନ କରିବାର କୌଣସି ଅବକାଶ ନାହିଁ। ଦେଶରେ ଘଟୁଥିବା ସବୁ ଅନିୟମିତତାକୁ କଂଗ୍ରେସ ସମୟରେ ଜନ୍ମ କରାଯାଇଥିଲା। ଆଜି ସେଇ ପୁରୁଣା କଉଡ଼ିକୁ ଉଠାଇ ଭାଜପା ସମାନ ପ୍ରକାର ଖେଳ ଖେଳୁଛି।
ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ କଂଗ୍ରେସ ଉଦ୍ୟମ ସବୁବେଳେ ଲାଗିରହିଥିଲା। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଅଣକଂଗ୍ରେସ ସରକାରକୁ ରାଜ୍ୟରେ ତିଷ୍ଠିବାକୁ ଦିଆଯାଇ ନ ଥିଲା। କେବଳ ସେତିକି ନୁହେଁ, ଯେଉଁ ରାଜ୍ୟରେ କଂଗ୍ରେସ ଦଳର ସରକାର ଥିବା ସତ୍ତ୍ୱେ ସେଠାକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣଭାବେ ଚେରବିହୀନ ବୋଲକରା ହୋଇ ନ ଥିବେ ସେଭଳି ବ୍ୟକ୍ତିଙ୍କୁ ତିଷ୍ଠିବାକୁ ମଧ୍ୟ ଦିଆଯାଉ ନ ଥିଲା। ଦୀର୍ଘ ସମୟ ଧରି ଆଞ୍ଚଳିକ ନେତୃତ୍ୱକୁ ଶେଷ କରିବା ପାଇଁ କଂଗ୍ରେସ ହାଇକମାଣ୍ଡ୍‌ ସବୁବେଳେ ଉଦ୍ୟମ କରିଆସିଛି। ଇନ୍ଦିରା ଗାନ୍ଧୀଙ୍କ ସମୟରେ କେବଳ ତାଙ୍କରି ନାମରେ ଜିଣିପାରୁଥିବା ହେତୁ କଂଗ୍ରେସ ତିଷ୍ଠିପାରିଥିଲା। କିନ୍ତୁ ସୋନିଆଙ୍କ ଦୀର୍ଘ ୧୦ ବର୍ଷର ଉପା ସରକାର ସମୟର କାର୍ଯ୍ୟ ଓ ବ୍ୟବହାର ସେହି ଦଳକୁ ଧ୍ୱଂସ କରିଦେଲା। ଜଣେ ବିଦେଶିନୀ ଭାବରେ ସୋନିଆଙ୍କ ପାଇଁ ଭାରତର ଆତ୍ମାକୁ ବୁଝିବା ସମ୍ଭବପର ହେଉ ନ ଥିଲା। ନିଜର ଦକ୍ଷତା ନ ଥାଇ କେବଳ ଶତ୍ରୁଙ୍କ ଅଭାବ ଯୋଗୁ ଦୁଇଟି ନିର୍ବାଚନ ଜିଣି ୧୦ ବର୍ଷ ଶାସନ କରିପାରିଥିଲା ଉପା। ଏବେ ଯେତେବେଳେ ବାସ୍ତବ ବୁଦ୍ଧି ପରୀକ୍ଷାର ସମୟ ଆସିଛି, ସେତେବେଳେ ଗାନ୍ଧୀ ପରିବାର ହସ ହସ ମୁଖ ଏବଂ ହାତ ହଲାଇ ଜନସାଧାରଣଙ୍କୁ ଆକର୍ଷିତ କରିପାରୁ ନାହିଁି। ଆଗରୁ କୁହାଯାଉଥିଲା ଯେ ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ଯୋଗୁ କଂଗ୍ରେସରେ ଅନେକ ଯୁବ ନେତୃତ୍ୱ ଗଢ଼ିଉଠୁଛନ୍ତି। ତନ୍ମଧ୍ୟରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟ ଥିଲେ ଅନ୍ୟତମ। ଉପା-୨ ସମୟରେ ସେମାନଙ୍କୁ ମନ୍ତ୍ରୀପଦ ମଧ୍ୟ ଦିଆଯାଇଥିଲା। କଂଗ୍ରେସର ଏହି ଯୁବ ନେତାମାନେ ଦଳର ଭବିଷ୍ୟତ ହେବେ ବୋଲି ବିଶ୍ୱାସ କରାଯାଉଥିଲା। ଆଜି ପରିସ୍ଥିତି ଏଭଳି ମୋଡ଼ ନେଇଛି ଯେ, ସେହି ଯୁବ ନେତାମାନେ କଂଗ୍ରେସ ଭିତରେ ନିଜକୁ ସମ୍ପୂର୍ଣ୍ଣ ଅସହାୟ ମନେକରି ଦଳଠାରୁ ଦୂରେଇ ଯାଉଛନ୍ତି। ଗୋଟେପଟେ ଏହା ସ୍ପଷ୍ଟ ଯେ, ଭାଜପାରେ ଯୋଗଦାନ କଲାପରେ କ୍ରମଶଃ ଏମାନଙ୍କ ରାଜନୈତିକ ସ୍ଥିତି ବିଲୋପ ହୋଇଯିବ। ଅନ୍ୟପଟେ ଏମାନଙ୍କୁ ବ୍ୟବହାର କରି ଭାଜପା ତା’ର ରାଜନୈତିକ ଫାଇଦା ଉଠାଇନେବ। ଏଭଳି ପ୍ରଚ୍ଛଦପଟରେ ଭାରତରେ ଏକ ସୁସ୍ଥ ଗଣତାନ୍ତ୍ରିକ ବାତାବରଣ ସୃଷ୍ଟି କରିବା ପାଇଁ ସୋନିଆ ଗାନ୍ଧୀ ଓ ତାଙ୍କର ଦୁଇ ସନ୍ତାନ ରାଜନୈତିକ ଜୀବନରୁ ଅବ୍ୟାହତି ନେବା ଦରକାର। ଉଭୟେ ମା’ପୁଅ ଲୋକସଭାରୁ ଇସ୍ତଫା ଦେବା ସହିତ କଂଗ୍ରେସ ପଦବୀରୁ ଓହରିଗଲେ ଭାରତବର୍ଷରେ ଏକ ବିଚିତ୍ର ନୂତନ ସମୀକରଣ ନିଶ୍ଚିତ ଭାବେ ସୃଷ୍ଟି ହୁଅନ୍ତା।