ଧରାପଡ଼ିଲା ନକଲି ହନୁମାନ କଏନ ରାକେଟ, ୩ ଜଣଙ୍କୁ ବାନ୍ଧିଲା ରାୟଗଡ଼ା ପୋଲିସ

ରାୟଗଡ଼ା,୨।୮(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଟାଉନ ଥାନା ପୋଲିସ ଏକ ହନୁମାନ କଏନ୍‌ ରାକେଟ ଠାବ କରିବା ସହ ଏଥିରେ ଜଡ଼ିତ ତିନିଜଣ ଠକଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ପୂର୍ବ ଗୋଦାବରୀ ଜିଲା ବାନ୍ଦାରୁ ଲଙ୍କା ଗ୍ରାମର ପୋଲାମୁରି ଡାଭିଡ ରାଜୁ, ନବରଙ୍ଗପୁର ସହର ତୋଟା ସାହିର ରୟ କାଉରି ଏବଂ ଗଜପତି ଜିଲା କାଶୀନଗର ସହରର ସଞ୍ଜୀବ ଜେନା। ସେମାନଙ୍କ ନିକଟରୁ ନଗଦ ୭୭ ହଜାର ଟଙ୍କା ସହିତ ଗୋଟିଏ ତମ୍ବା କଏନ ଓ ଗୋଟିଏ ପିତଳ ପ୍ଲେଟ ସହ ୩ ମୋବାଇଲ ଜବତ କରିଛି ପୋଲିସ। ଏ ନେଇ ରାୟଗଡ଼ା ଥାନା କେସ ନମ୍ବର ୨୭୧ ରେ ମାମଲା ରୁଜୁ କରି ତଦନ୍ତ କରିବା ପରେ ସେମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ପ୍ରସନ୍ନ ବେହେରା କହିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଉପରୋକ୍ତ ୩ ଜଣ ଅଭିଯୁକ୍ତ ରାୟଗଡ଼ା ସହରର ବିଭିନ୍ନ ସ୍ଥାନରେ ହନୁମାନ କଏନ ଦେବା ଆଳରେ ଲୋକଙ୍କୁ ଠକିବା ପାଇଁ ଯୋଜନା କରିଥିଲେ। ନକଲି ହନୁମାନ କଏନ ଦେଇ ଟଙ୍କା ଲୁଟିବାର ଯୋଜନା ପ୍ରସ୍ତୁତ କରୁଥିବା ପୋଲିସ ସୂଚନା ପାଇଥିଲା। ଏହାପରେ ଏକ ପୋଲିସ ଟିମ ସେମାନଙ୍କୁ ଠାବ କରିବା ସହ ସେମାନଙ୍କ ଠାରୁ ସମସ୍ତ ସାମଗ୍ରୀ ଜବତ କରିଛି।

Share