ଧର୍ମଶାଳା,୧୧।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ବିଭିନ୍ନ ଛକ ବଜାରରେ ମାଳମାଳ ଔଷଧ ଦୋକାନ ସହିତ ରୋଗୀ ଦେଖିବା ପାଇଁ ଡାକ୍ତର ଚାମ୍ବର କରାଯାଇଛି । ଏହି ଚମ୍ବାରକୁ ବିଭିନ୍ନ ବିଭାଗର ଡାକ୍ତରମାନେ ଆସି ରୋଗୀମାନଙ୍କୁ ଦେଖିଥାନ୍ତି । କିନ୍ତୁ ଏହି ଡାକ୍ତରମାନଙ୍କ ମଧ୍ୟରେ କିଛି ନକଲି ଡାକ୍ତର ରୋଗୀମାନଙ୍କ ଜୀବନ ସହ ଖେଳୁଥିବା ଆଲୋଚନା ହେଉଛି । ଯାହା ଦ୍ୱାରା ଅସଲି ଡାକ୍ତର ବଦନାମ ହେବା ସହ ରୋଗୀ ମଧ୍ୟ ନକଲି ଡାକ୍ତରମାନଙ୍କ ଶିକାର ହେଉଛନ୍ତି ।
ଷୋହଳ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜାରକା ଏକ ବ୍ୟବସାୟ ସ୍ଥଳୀ ଭାବେ ବେଶ୍ ପରିଚିତ। ଏଠାରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ସହ ଘରୋଇ ହସ୍ପିଟାଲ୍, ବଡ଼ ବଡ଼ ଔଷଧ ଗୋଦାମ, ଔଷଧ ଦୋକାନ ଏବଂ ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରିବା ନିମନ୍ତେ ଅନେକ ସେଣ୍ଟର ଗଢ଼ି ଉଠିଛି । ସବୁଠାରୁ ବଡ଼କଥା ଏହା ମଧ୍ୟରୁ କିଛି ଔଷଧ ଦୋକାନ ଏବଂ ପରୀକ୍ଷା ନିରୀକ୍ଷା କରିବା ସେଣ୍ଟର ଗୁଡ଼ିକ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନକୁ ରୋଗୀ ଦେଖିବା ନିମନ୍ତେ ଡାକ୍ତରଙ୍କୁ ଡକାଇ ଥାଆନ୍ତି । ଏକ ଚାମ୍ବର କରି ନାମୀଦାମୀ ହସ୍ପିଟାଲର ଫଳକ ମାରି ନକଲି ଡାକ୍ତର ଭାବେ ରୋଗୀ ଦେଖୁଛନ୍ତି । ଏହି ଅଞ୍ଚଳରେ ସରକାରୀ ଡାକ୍ତର ଅଭାବ ଯୋଗୁ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ କିଛି ଜଣ ନକଲି ଡାକ୍ତର ନିଜକୁ ଆତ୍ମଘୋଷିତ ଡାକ୍ତର କହି ଲୋକଙ୍କୁ ଭୁଆଁ ବୁଲାଇ ବେସ୍ ଫାଇଦା ଉଠାଉଥିବା ବିଶେଷ ସୂତ୍ର ରୁ ଜଣା ପଡ଼ିଛି। ଯାହା ଫଳରେ ରୋଗୀ ମାନେ ହଇରାଣ ହରକତ ହେଉଥିବା ବେଳେ ନକଲି ଡାକ୍ତରଙ୍କ ଔଷଧ ଖାଇ ଅନେକ ରୋଗୀ ସଙ୍କଟାପନ୍ନ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି।
କେହି ଯଦି ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ତାକୁ ଚପାଇ ଦିଆଯାଉଛି । ଏହି ଭଳି ଅନେକ ଅଘଟଣ ଜାରକା ଅଞ୍ଚଳରେ ହୋଇ ଥିଲେ ବି ଘଟଣା ସର୍ବ ସମ୍ମୁଖ କୁ ଆସି ପାରିନାହିଁ। ତେବେ ପ୍ରଶାସନ ଏକ ପ୍ରକାର ନୀରବ ଦ୍ରଷ୍ଟା ପାଲଟିଯାଇଛି। କିଛି ସ୍ଥାନରେ ଅଘଟଣ ଓ ଅଭିଯୋଗ ପରେ ପ୍ରଶାସନ ପହଞ୍ଚି ତଦନ୍ତ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କେବେ ଅଚାନକ ଚଢ଼ାଉ କରା ଯାଉନାହିଁ । ଧର୍ମଶାଳା, କାଏମା, ନରସିଂହପୁର, ଆରୁହା, ମିର୍ଜାପୁର, କୋତପୁର ଭଳି ବିଭିନ୍ନ ଜନ ବସତି ସ୍ଥାନମାନଙ୍କରେ ଥିବା ଛକ ଉପରେ ଅନେକ ଔଷଧ ଦୋକାନ ରହିଛି। ସେଥି ମଧ୍ୟରୁ ଅନେକ ଔଷଧ ଦୋକାନ ଗୁଡ଼ିକରେ ବିଭିନ୍ନ ବିଭାଗର ଡାକ୍ତର ରୋଗୀମାନଙ୍କୁ ଦେଖିବା ପାଇଁ ବ୍ୟବସ୍ଥା ମଧ୍ୟ କରିଛନ୍ତି । ତେବେ ଏହା ଉପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ସହ ଆସୁଥିବା ଡାକ୍ତରମାନେ ଅସଲି କି ନକଲି ତାହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।