ମହାକାଳପଡ଼ା,୧୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ କୋଲକାତା, ଆନ୍ଧ୍ରପ୍ରଦେଶ, ରାୟପୁର, ଛତିଶଗଡ, ମଧ୍ୟପ୍ରଦେଶ, ବିହାର, ସିକିମ ଓ ନାଗାଲାଣ୍ଡ ଆଦି ରାଜ୍ୟକୁ ମୋଟା ଓ ବାସ୍ମତି ଧାନ ବଡ଼ ବଡ଼ ଟ୍ରକ୍ ଓ କଣ୍ଟେନରରେ ଚାଲାଣ କରାଯାଉଛି। ଜମ୍ବୁ -ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ଗୋପାଳପୁର, ବାଲିଗୋଡା, ରାମଚଣ୍ଡୀ ମନ୍ଦିର ସଂଲଗ୍ନ, ଖରିନାସି, ରାମନଗର, ପେଟଛେଲା, ଜମ୍ବୁ, ବାବର, ବିଜୟନଗର, ଓରତ, ତିଖିରୀ ଓ ଯଦୁପୁର ପ୍ରମୁଖ ଅଞ୍ଚଳରୁ ଧାନ ଚାଲାଣ ହେଉଛି ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି । ସମବାୟ ସମିତିରେ ଭାଗ ଚାଷୀମାନଙ୍କୁ ଧାନ ବିକ୍ରିକରିବା ପାଇଁ ଜମି ମାଲିକମାନେ ପଞ୍ଜୀକରଣ ପାଇଁ ସୁଯୋଗ ନ ଦେବାରୁ ଭାଗ ଚାଷୀ ଓ ଉପକୂଳ ଅଞ୍ଚଳର ଚାଷୀମାନେ ବାଧ୍ୟହୋଇ ବାହାର ରାଜ୍ୟର ସ୍ଥାନୀୟ ଦଲାଲ ମାଧ୍ୟମରେ ଧାନ ବିକ୍ରି କରିଥାନ୍ତି। ବୁଦ୍ଧିଜୀବୀ ତଥା ସାମାଜିକ କର୍ମୀ ନରୋତ୍ତମ ପାର୍ଥ ସାରଥି ଓ କୃଷକ ମୂଲିଆ ସଂଘ ନେତା ଅଙ୍କୁର ପଲାଇଙ୍କ କହିବା କଥା ଚାଷୀମାନଙ୍କ ଧାନ ବିକ୍ରିବଟା ପାଇଁ ରାଜ୍ୟ ସରକାର ଟାଳଟୁଳ ନୀତି ଯୋଗୁ ଚାଷୀମାନେ ବାଧ୍ୟ ହୋଇ ଅଭାବୀ ବିକ୍ରି କରୁଥିବା ଅଭିଯୋଗ ଉଠାଇଛନ୍ତି।

