ଛାତ ଉପରେ ବୋମା ଭିଡ଼ିବାବେଳେ ବିସ୍ଫୋରଣ

ଭୁବନେଶ୍ୱର,୨୮।୧(ତ୍ରିନାଥ ମହାନ୍ତି): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନ୍ୟୁ ଆଜାଦ ନଗରରେ ଏକ ୩ତାଲା ବିଶିଷ୍ଟ ଛାତ ଉପରେ ମଙ୍ଗଳବାର ବୋମା ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଜଣ ମହିଳା ରହିଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ବାପା, ଝିଅ ଗୁରୁତର ହୋଇଛନ୍ତି। ଆହତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ସେହନବାଜ ମଲିକ, ତୃପ୍ତିମୟୀ ବଳ, ସେହନବାଜଙ୍କ ଝିଅଙ୍କ ମୁହଁ, ହାତ ଏବଂ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଛି। ଏଥିରେ ସେହନବାଜଙ୍କ ୨ ସାଙ୍ଗ ସାହିଲ୍‌ ଖାନ୍‌ ଏବଂ ସୋମ୍ୟରଞ୍ଜନ ସ୍ବାଇଁ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ଡିସିପି ଏବଂ ଫୋରେନସିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚତ୍ ଛାନଭିନ୍‌ କରୁଛନ୍ତି।
ମିଳିଥିବା ସୂଚନାନୁସାରେ, ନ୍ୟୁ ଆଜାଦ ନଗର ରେହେନୁମା ମଞ୍ଜିଲରେ ସେହନବାଜ ମଲିକ ୩ ତାଲାରେ ଘର ଭଡ଼ା ନେଇ ପରିବାର ସହ ରହୁଥିଲେ। ସେ ଘରର ଛାତ ଉପରେ ବେଆଇନଭାବେ ବୋମା ଭିଡ଼ି ଅପରାଧୀମାନଙ୍କୁ ବିକ୍ରି କରିଥାନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ୨ଜଣ ସ୍କୁଟିରେ ଆସି ତାଙ୍କୁ ବୋମା ନେବା ପାଇଁ ଅର୍ଡର ଦେଇଥିଲେ। ବୋମା ପ୍ରସ୍ତୁତି କରୁଥିବାବେଳେ ଅପରାହ୍ନ ୨ଟା ୪୦ମିନିଟରେ ହଠାତ୍‌ ଏକ ବଡ଼ ଧରଣର ବିସ୍ଫୋରଣ ହେଲା। ୧୦ ଫୁଟ ଉପରକୁ ନିଅଁା ଉଠିବା ସହ ଜଣଙ୍କ ହାତ ଛିଡ଼ି ଯାଇଥିଲା। ପାଖରେ କପଡ଼ା, ଗ୍ଲାସ୍‌, ବୋମାର ଏକାଧିକ ନମୁନା ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଗ୍ୟାସ୍‌ ଫାଟିଥିବା ଭାବି ଏକାଧିକ ଲୋକ ଦୌଡ଼ି ଆସିଥିଲେ। ହେଲେ ବୋମା ବିସ୍ଫୋରଣ ହୋଇଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଜନବସତି ଅଞ୍ଚଳରେ ଛାତ ଉପରେ ସେହନବାଜ୍‌ ବୋମା ପ୍ରସ୍ତୁତ କରି ଅପରାଧୀଙ୍କୁ ଯୋଗାଉଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକମାନେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ଡିସିପି ଜଗମୋହନ ମୀନା ଯାଞ୍ଚ କରିବା ପରେ କହିଛନ୍ତି, ଛାତ ଉପରେ ବୋମା ଭିଡ଼ିବାବେଳେ ବିସ୍ଫୋରଣ ଘଟିଛି। ଆପରାଧିକ କାର୍ଯ୍ୟ ପାଇଁ ବୋମା ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହନବାଜଙ୍କ ନଁାରେ ଏକାଧିକ ଆପରାଧିକ ମାମଲା ରହିଛି। ନୟାପଲ୍ଲୀ, ମୈତ୍ରୀବିହାର ଥାନା ଅଞ୍ଚଳରେ ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ଏକାଧିକ ମାମଲା ରହିଛି। ବେଆଇନ ଭାବେ ବୋମା ଭିଡ଼ାଯାଉଥିବାରୁ ଏନେଇ ସେହନବାଜଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି। ରାଜଧାନୀ ଏବଂ ଏହାର ଉପକଣ୍ଠରେ ଏଭଳି ବେଆଇନ ଭାବେ ବୋମା ଭିଡ଼ାଯାଉଛି। ପୋଲିସ ସେମାନଙ୍କୁ ଲାଇସେନ୍ସ ଦେଇ ନ ଥିବାବେଳେ ସେମାନେ ବେଆଇନ ଭାବେ ବୋମା ଭିଡ଼ି ବିକ୍ରି କରୁଛନ୍ତି।
୨୦୨୩ ଏପ୍ରିଲ ୪ରେ ବାଣୀବିହାର କ୍ୟାମ୍ପସ ପଛରେ ଜଣେ ବ୍ୟକ୍ତି ବେଆଇନ ଭାବେ ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ ଘଟି ତାଙ୍କ ଜୀବନ ଯାଇଥିଲା। ସେହିପରି ଗତ ବର୍ଷ ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଘରେ ବୋମା ଭିଡ଼ାଯାଉଥିବାବେଳେ ବିସ୍ଫୋରଣରେ ଏକାଧିକ ଆହତ ହୋଇଥିଲେ। ୨୦୧୮ ନଭେମ୍ବର ୧ରେ ବାଲିପାଟଣା ଥାନା ବନମାଳୀପୁର ନୂୂଆସାହିରେ ବାଣ ଭିଡ଼ିବା ବେଳେ ଜ୍ଞାନରଞ୍ଜନ ମିଶ୍ର ଏବଂ ଝୁନାରାଣୀ ମିଶ୍ରଙ୍କ ମୃତ୍ୟୁ ଘଟିଥିଲା। ଝୁନାଙ୍କ ମୃତଦେହ ମିଳିଥିବା ବେଳେ ଆଜି ପର୍ଯ୍ୟନ୍ତ ଜ୍ଞାନରଞ୍ଜନଙ୍କ ମୃତଦେହ ମିଳିପାରି ନାହିଁ। ସେହିପରି ଜଟଣୀରେ ୨୦୨୪ରେ ଏକ ବାଣ ବିସ୍ଫୋରଣ ଘଟିଥିଲା।

Dharitri – The Largest & Most Trusted Odia Daily