ଭଦ୍ରକ,୧୦ା୫(ସନାତନ ରାଉତ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଭଦ୍ରକ ପୌରପାଳିକା ୨୫ ନଂ ଓ୍ବାର୍ଡ ହଳଦୀ ବାଇପାସ ଠାରେ ଗତ ମଙ୍ଗଳବାର ଏକ ବାଣ ଗୋଦାମରେ ଘଟିଥିବା ବିସ୍ଫୋରଣରେ ଘଟଣା ଦିନ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଗୁରୁତର ମଧ୍ୟରୁ ଶୁକ୍ରବାର ରାତିରେ ଜଣେ ଓ ଶନିବାର ପୂର୍ବାହ୍ନରେ ୨ ଜଣକର ମୃତ୍ୟୁ ହୋଇଛି।
ପ୍ରକାଶ ଥାଉକି, ଘଟଣା ଦିନ ବିସ୍ଫୋରଣରେ ବାଣ ଭିଡୁଥିବା ୫ ଜଣ ଶ୍ରମିକ ଗୁରୁତର ହୋଇଥିଲେ l ବିସ୍ଫୋରଣରେ ହଳଦି ଅଞ୍ଚଳର ସେକ ମୁସ୍ରଫ, ରଶ୍ମିତା ଜେନା, ଓଜିତା ବିବି, ରହିତୁନ ବିବି, ସୁଲତାନା ବିବି ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ରେଫର କରାଯାଇଥିଲା। ବିସ୍ଫୋରଣ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ସେହିଦିନ ସନ୍ଧ୍ୟାରେ କଟକ ବଡ଼ ମେଡିକାଲରେ ସେକ୍ ମୁସରାଫ ଓ ରହିତୁନ ବିବି ଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଗୁରୁତରଙ୍କୁ ଆଇସିୟୁରେ ରଖା ଯାଇଥିଲା। ଶୁକ୍ରବାର ରାତିରେ ରଶ୍ମିତା ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ସକାଳେ ସୁଲତାନା ବିବି ଓ ଓଜିଫା ବିବିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ l