ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ ଚତୁଃପାଶର୍‌ବରେ ରହିଥିବା ସରକାରୀ ଜମିକୁ କିଛି ବ୍ୟକ୍ତି ବେଆଇନ ଭାବରେ ଜବରଦଖଲ କରି ରଖିଥିବାରୁ ଜନସାଧାରଣଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଓ ଉନ୍ନୟନମୂଳକ କାର୍ଯ୍ୟ ଲାଗି ସରକାର ଯୋଗାଇ ଦେଉଥିବା ଅନୁଦାନ କାର୍ଯ୍ୟକାରୀ ହୋଇପାରୁନାହିଁ। ଦିନକୁଦିନ ସହର ବଢୁଥିବା ସାଙ୍ଗକୁ ଜାଗାର ଅଭାବ ଯୋଗୁ ବିକାଶମୂଳକ କାର୍ଯ୍ୟ ଆଗେଇ ନ ପାରି ସହରଟି ଅବହେଳିତ ହୋଇ ଲୋକେ ସେମାନଙ୍କ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଅପରପକ୍ଷରେ ଏନଏସିର ସ୍ଥାୟୀ କାର୍ଯ୍ୟାଳୟ ଗୃହଟିଏ ନ ଥିବାରୁ ଲୋକଙ୍କ ଲାଗି ରହିଥିବା କଲ୍ୟାଣମଣ୍ଡପରେ କାର୍ଯ୍ୟାଳୟଟି ଚାଲିଛି। ମାଛମାଂସ ବିକ୍ରି ଲାଗି ସ୍ଥାୟୀ ବଜାରଟିଏ ନ ଥିବାରୁ ମୁଖ୍ୟରାସ୍ତା ପାଶର୍‌ବରେ ଏଣେତେଣେ ମାଛ ବିକ୍ରି ସାଙ୍ଗକୁ ଛେଳିକଟା ଯାଇ ମାଂସ ବିକ୍ରିଚାଲିଛି। ଯାହାଦ୍ବାରା ସହରର ପରିବେଶ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହେବା ସାଙ୍ଗକୁ ରାସ୍ତା ଅବରୋଧ ଘଟି ଦୁର୍ଘଟଣା ଘଟିବାରେ ଲାଗିଛି।

ସେହିପରି ଯାନବାହନ ପାର୍କିଂ ଲାଗି ସ୍ଥାନ ନ ଥିବାରୁ ଲୋକେ ରାସ୍ତା ଉପରେ ଗାଡ଼ିମୋଟର ରଖୁଥିବା ହେତୁ ଟ୍ରାଫିକ୍‌ ସମସ୍ୟା ଦେଖାଦେଇ ବାରମ୍ବାର ଦୁର୍ଘଟଣା ଘଟୁଛି। ସହରର କାଳୀମନ୍ଦିର ଛକଠାରୁ କଲେଜଛକ ମଧ୍ୟରେ ଦୀର୍ଘ ୧ କିମି ରାସ୍ତା ଧରି ଶୌଚାଳୟ କି ପରିସ୍ରାଗାରଟିଏ ନ ଥିବାରୁ ଦୈନିନ୍ଦିନ କାର୍ଯ୍ୟ ଲାଗି ବିଭିନ୍ନ ଅଞ୍ଚଳକୁ ଆସୁଥିବା ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଶେଷକରି ମହିଳାମାନେ ବହୁମାତ୍ରାରେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ଏଭଳି ଲୋକଙ୍କ ମୌଳିକ ସମସ୍ୟା ଓ ଅସୁବିଧାକୁ ନେଇ ଏନ୍‌ସିର ନୂଆ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ ପ୍ରତ୍ୟହ ସହରର ବିଭିନ୍ନ ସାହିବସ୍ତି ବୁଲି ଲୋକଙ୍କ ସମସ୍ୟାକୁ ପରଖି ସହରର ବିକାଶ ପ୍ରତି ଆଗେଇ ଆସି ଜବରଦଖଲ ହଟାଇ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ଜାଗା ଯୋଗାଇ ଦେବାକୁ ତହସିଲଦାର ଓ ସରକାରଙ୍କୁ ଜଣାଇ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଏପରିକି ତହସିଲଦାର ବିନୋଦ କୁମାର ବେହେରାଙ୍କ ସହଯୋଗରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଓ ଜନପ୍ରତିନିଧିମାନଙ୍କୁ ନେଇ ଜବରଦଖଲରେ ରହିଥିବା ଜାଗାମାନଙ୍କୁ ଯାଇ ଚିହ୍ନଟ କରିବା ସହ ଏହାକୁ ଜବରଦଖଲ ମୁକ୍ତ କରି ଏନ୍‌ସିକୁ ହସ୍ତାନ୍ତର କରିବାକୁ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି। ନିର୍ବାହୀ ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ସହରବାସୀ ପ୍ରଶଂସା କରିଥିବାବେଳେ ଜବରଦଖଲକାରୀଙ୍କ ମଧ୍ୟରେ ଛନକା ପଶିଯାଇଛି।

Dharitri – Odisha’s No.1 Odia Daily