ଜଳେଶ୍ୱର,୪ା୩(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ଧରଣର ସଫଳତା ମିଳିଛି। ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନସ୍ଥ ବରଡିହା ପଞ୍ଚାୟତର ରଙ୍ଗାମାଟିଆ ଗ୍ରାମ ନିକଟରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ପ୍ରସ୍ତୁତ ମହୁଲି ମଦ ଜବତ କରାଯାଇଛି।
ସୂଚନା ଅନୁସାରେ, ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ରଙ୍ଗାମାଟିଆ ଅଞ୍ଚଳରେ ହଠାତ୍ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ପ୍ରାୟ ୬,୦୦୦ ଲିଟର ପୋଚ୍କୁ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଛି। ଏହା ସହିତ ବିକ୍ରି ପାଇଁ ପ୍ରସ୍ତୁତ ଥିବା ୩୫୦ ଲିଟର ମହୁଲି ମଦ ବିଭାଗ ପକ୍ଷରୁ ଜବତ କରାଯାଇଛି।
ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ଡିଏସପି ଶଶିକାନ୍ତ ଦତ୍ତ,
ଆଇଆଇସି ଦେବେନ୍ଦ୍ର ବେହେରା, ସୁନିଲ ମାଝୀ , ଦିଲ୍ଲୀପ ତ୍ରିପାଠୀ, ରବି ରଣା ଓ ବ୍ରହ୍ମଜିତ୍ ସାହୁ ପ୍ରମୁଖ ଉପସ୍ଥିତ ରହି ଚଢ଼ାଉର ନେତୃତ୍ୱ ନେଇଥିଲେ। ଅଞ୍ଚଳରେ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଅବକାରୀ ବିଭାଗ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରଖିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି।