ବାତ୍ୟା ପାଇଁ ସ୍ଥଗିତ ହେଲା ପରୀକ୍ଷା

ଭୁବନେଶ୍ୱର,୪।୧୨(ବ୍ୟୁରୋ): ବାତ୍ୟା ଜୱାଦ ପାଇଁ ୫ ତାରିଖରେ ହେବାକୁ ଥିବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ୍‌ ଟ୍ରେଡ୍‌(ଆଇଆଇଏଫ୍‌ଟି)ର ଏମ୍‌ବିଏ(ଆଇବି) ୨୦୨୨-୨୪ ପ୍ରବେଶିକା ପରୀକ୍ଷାକୁ ଓଡ଼ିଶା ସମେତ ୩ଟି ରାଜ୍ୟରେ ସ୍ଥଗିତ ରଖାଯାଇଛି। କଟକ, ସମ୍ବଲପୁର, ଭୁବନେଶ୍ୱର, ବିଜୟୱାଡ଼ା, ବିଶାଖାପାଟଣା, କୋଲକାତା, ଦୁର୍ଗାପୁରରେ ଆଦି ସହରରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଛି। ସାନି ପରୀକ୍ଷା ତାରିଖ ପରେ ପ୍ରକାଶ କରାଯିବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି।

ସେହିପରି ୫ରେ ହେବାକୁ ଥିବା ୟୁଜିସି-ଏନ୍‌ଇଟି ଡିସେମ୍ବର ୨୦୨୦ ଓ ୟୁଜିସି-ଏନ୍‌ଇଟି ଜୁନ୍‌ ୨୦୨୧ ପରୀକ୍ଷା ମଧ୍ୟ ସ୍ଥଗିତ କରାଯାଇଛି। ଭୁବନେଶ୍ୱର, ଗୁଣୁପୁର, କଟକ, ବ୍ରହ୍ମପୁର, ପୁରୀ ଓ ବିଶାଖାପାଟଣା ଆଦି ୬ଟି ସହରରେ ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଛି।

ବିପିୟୁଟି ପରିଚାଳିତ ପିଏଚ୍‌ଡି ପ୍ରୋଗ୍ରାମ ଏଣ୍ଟ୍ରାନ୍ସ ଘୁଞ୍ଚାଯାଇଛି। ୫ ତାରିଖରେ ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ତାରିଖକୁ ଘୁଞ୍ଚାଯାଇଛି। ସେହିପରି ଶନିବାର ହେବାକୁ ଥିବା ଡିଏଲ୍‌ଏଡ୍‌ (ପ୍ରଥମ ବର୍ଷ) ପରୀକ୍ଷା ୧୦ ତାରିଖରେ ଅନୁଷ୍ଠିତ ହେବ। ତେବେ ୭, ୯ ତାରିଖରେ ହେବାକୁ ଥିବା ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।