ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୪ ତମ ଜୟନ୍ତୀ: ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,୯ା୬: ଓଡ଼ିଶାର ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୪ ତମ ଜୟନ୍ତୀ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ରାଜଭବନ ନିକଟସ୍ଥ ନନ୍ଦିନୀ ଶତପଥୀ ଛକରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀଙ୍କ ସମେତ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ନନ୍ଦିନୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଧରିତ୍ରୀରେ କାର୍ଯ୍ୟରତ କର୍ମଚାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତେ ନନ୍ଦିନୀଙ୍କ ସ୍ମୃତିଚାରଣ କରିଥିଲେ।

ଲୌହ ମାନବୀ ନନ୍ଦିନୀ ଦେବୀ ସାଲିସ ବିହୀନ, ବିଚକ୍ଷଣ ରାଜନେତ୍ରୀ ସହ ଜଣେ ସୁସାହିତି୍ୟକା ଥିଲେ। ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବିଭିନ୍ନ କଠୋର ପଦକ୍ଷେପ ନେଇ ଅଦମ୍ୟ ସାହସିକତାର ପରିଚୟ ଦେଇଥିଲେ ବୋଲି ଆଜିର ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତ ପ୍ରକାଶ କରିଥିଲେ।

ନନ୍ଦିନୀ ଦେବୀଙ୍କ ସମୟରେ ଗୋପାଳପୁରର ଇଣ୍ଡିଆନ ରେୟାର୍‌ ଆର୍ଟ କମ୍ପ୍ଲେକ୍ସ, ତାଳଚେର ଓ ପାରାଦୀପର ସାର କାରଖାନା, ରାଉରକେଲାର ଏସିଆଟିକ ଅକ୍ସିଜେନ କାରଖାନା (ବିଗତ ମହାମାରୀ କରୋନା ସମୟରେ ଯାହା ନିଜର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇ ସାରା ଦେଶକୁ ଅକ୍ସିଜେନ ଯୋଗାଇ ଥିଲା), ଢେଙ୍କାନାଳରେ କଳିଙ୍ଗ ଝୋଟ କାରଖାନା, ହସ୍ତଶିଳ୍ପ ଓ ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ‘ଉତ୍କଳିକା’ ନାମରେ ଭୁବନେଶ୍ୱର ଓ ଦିଲ୍ଲୀରେ ଆଧୁନିକ ବିପଣନ କେନ୍ଦ୍ର ପ୍ରତିଷ୍ଠା, ଭୁବନେଶ୍ୱରରେ କର୍ମଜୀବୀ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଆବାସନ ‘ନିବେଦିତା’ର ନିର୍ମାଣ, ଢେଙ୍କାନାଳ ଓ ଭୁବନେଶ୍ୱରରେ ଅନ୍ଧ ମୂକ ବଧିର ବିଦ୍ୟାଳୟ ପ୍ରତିଷ୍ଠା, ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ଭବନ ଓ କଟକରେ ଆକାଶବାଣୀ ଭବନ ନିର୍ମାଣ ହେଉଛି ଓଡ଼ିଶାକୁ ନନ୍ଦିନୀଙ୍କର ଅବଦାନ। ଭୁବନେଶ୍ୱରର ସୂଚନା ଭବନ (ଜୟଦେବ ଭବନ ଯାହାର ପରବର୍ତ୍ତୀ ନାମ) ଓ ଶ୍ରୀଅରବିନ୍ଦଙ୍କ ଦେହାବଶେଷ ସ୍ଥାପନ ପୂର୍ବକ ‘ମାତୃଭବନ’ ନିର୍ମାଣ ହିଁ ତାଙ୍କ ଉଦ୍ୟମର ଫଳଶ୍ରୁତି।

Share