ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି ଗ୍ରାମରେ ଦେଶ ସ୍ବାଧୀନତା ହେବାର ୭୭ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହେଇନାହିଁ।
ଭାଜପା କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ୱର ସାହୁ ଓ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁରଙ୍କ ସମେତ ଏକ ପ୍ରତିନିଧି ଦଳ ଆଜି ଭାରତ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନଠାରେ ଭେଟି ଏହି ୭ଟି ଆଦିବାସୀ ଗାଁକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ତତ୍ସହିତ ଯୁଦ୍ଧକାଳୀନ ଭିତ୍ତିରେ ଏହି ବିଦ୍ୟୁତ୍ ସଂଯୋଗ କରିବା ପାଇଁ ଆଲୋଚନା ସମୟରେ ମନ୍ତ୍ରୀ ଜୁଏଲ ଓରାମଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜୁଏଲ ଓରାମ ପ୍ରତିଶ୍ରୁତି ଦେଇଥିଲେ।

