୫ ଥର ଆବେଦନ ପରେ ବି ମିଳିଲାନି ଭତ୍ତା

ଖଇରା,୯।୫(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ଅଧୀନ ଶାଳଗଡ଼ିଆ ପାଇକସାହି ଗ୍ରାମର ଭାମା ନାଇକଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେଉଛି। ୬ ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସମ୍ପର୍କୀୟମାନେ ତାଙ୍କ ମୁହଁକୁ ଚାହୁଁ ନ ଥିବାରୁ ସେ ଏବେ ଅସହାୟ ଭାବେ ଜୀବନ କାଟୁଛନ୍ତି। ଏଭଳି ପରିସ୍ଥିତିରେ ସାମାଜିକ ସୁରକ୍ଷା ଯୋଜନାରେ ବିଧବା ଭତ୍ତା ପାଇବା ପାଇଁ ୫ ଥର ଆବେଦନ କରି ସେ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି। ପଞ୍ଚାୟତର ଯୁବ ନେତା ଦୈତାରୀ ପଣ୍ଡା ଓ ଭାର୍ଗବ ପାତ୍ରଙ୍କୁ ତାଙ୍କର ଏହି ଦୁଃଖ ଜଣାଇବା ପରେ ସେମାନେ ଜିଲାପାଳଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ତୁରନ୍ତ ଭତ୍ତା ନ ମିଳେ ତେବେ ଭାମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।