ଉଚ୍ଛେଦ, ବାର୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ ସିଲ୍‌

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): ରାଜଧାନୀରେ ଜବରଦଖଲ ଉଚ୍ଛେଦ ସହିତ ପରିମଳ ବ୍ୟବସ୍ଥା ନେଇ ଯାଞ୍ଚ ଓ ପଦକ୍ଷେପକୁ ଜୋରଦାର କରାଯାଉଛି। ଦୋକାନ ହେଉ କି ହୋଟେଲ, ସ୍ବଚ୍ଛତା ନିୟମ ନ ମାନିଲେ ବିଡିଏ ପକ୍ଷରୁ ଜରିମାନା ଆଦାୟ ସହ ଦୋକାନଗୁଡିକୁ ସିଲ୍‌ କରାଯାଉଛି। ମଙ୍ଗଳବାର ଭିଏସ୍‌ଏସ୍‌ ନଗରସ୍ଥିତ ରୟାଲ ବାର୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟକୁ ସିଲ୍‌ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରୁ ଉଚ୍ଛେଦ ସହ ୪ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିଛି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌।
ସ୍କ୍ବାଡ୍‌ ସକାଳ ୮ଟାରୁ ଡମଣା, ଶୈଳଶ୍ରୀବିହାର, କିଟ୍‌ ରୋଡ, ଇନ୍‌ଫୋସିଟି ରୋଡ୍‌ରେ ଥିବା ଷ୍ଟ୍ରିଟ୍‌ ଭେଣ୍ଡରକୁ ହଟାଇଛି। ଏଥିରେ ୫, ୬, ୭ ଓ ୮ ନଂ. ସ୍କ୍ବାଡ୍‌ ସାମିଲ ହୋଇଥିଲେ। ପରେ ଏହି ସ୍କ୍ବାଡ୍‌ ଭିଏସଏସ ନଗରସ୍ଥିତ ରୟାଲ ବାର୍‌ ଆଣ୍ଡ ରେଷ୍ଟୁରାଣ୍ଟକୁ ଯାଇଥିଲେ। ସେଠାରେ ପରିମଳଜନିତ ସମସ୍ୟା ଥିବାବେଳେ ତାହା ସରକାରୀ ଜମିକୁ ଜବରଦଖଲ କରିଥିବା ଦେଖିବାକୁ ପାଇଥିଲା। ଫଳରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଏହାକୁ ସିଲ୍‌ କରିଥିଲା।
ସେହିଭଳି ଅନ୍ୟ ୪ଟି ସ୍କ୍ବାଡ୍‌ ନଂ. ୯, ୧୦, ୧୧ ଓ ୧୨ ବିଗ୍‌ବଜାର ଛକରୁ ଉନ୍ନତି ଭବନ ଛକ ପର୍ଯ୍ୟନ୍ତ ଉଚ୍ଛେଦ କରିଥିଲା। ଏଥିରେ ୧୩ଟି ଫାଷ୍ଟଫୁଡ୍‌ ବକ୍ସ, ୯ଟି ଫଳ ଦୋକାନ, ୧୧ଟି ଅସ୍ଥାୟୀ ଦୋକାନ ଉଚ୍ଛେଦ ହୋଇଥିଲା। ଏହାସହ ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ପରେ କଳ୍ପନା ଛକରେ ଥିବା ୨ଟି ତାରିଣୀ ମନ୍ଦିର ଓ ୫ଟି କ୍ୟାବିନ ଭଙ୍ଗା ଯାଇଥିଲା। ସ୍କ୍ବାଡ୍‌ ନଂ. ୧୩, ୧୪, ୧୫ ଓ ୧୬ ରେଣ୍ଟାଲ କଲୋନୀ, ସିଆର୍‌ପି ଛକ, ପୋଖରୀପୁଟ ଏବଂ ପଟାସ ଛକଠାରୁ ଷ୍ଟୁଡିଓ ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରିଥିବାବେଳେ ଏଥିରେ ୭ଟି ଟିଫିନ ଷ୍ଟଲ, ୩ଟି ଦୋକାନ, ୩ଟି ଅସ୍ଥାୟୀ ପଇଡ ଦୋକାନ, ୪ଟି ପରିବା ଦୋକାନ ଏବଂ ୨ଟି ଫଳ ଦୋକାନ ରହିଛି।