ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ପରୀକ୍ଷାର୍ଥୀ ସୁଭଦ୍ରା କିର୍ସାନୀ ଓ ସାମୁଏଲ ପାଙ୍ଗୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। ନନ୍ଦପୁର ବ୍ଲକ ସିନ୍ଧେଦେବୀ ମହାବିଦ୍ୟାଳୟ ପରିକ୍ଷା କେନ୍ଦ୍ରରେ ଆଡମିଟ କାର୍ଡରେ ବିଷୟ ଓଡ଼ିଆ ବଦଳରେ ହିନ୍ଦୀ ଉଲ୍ଲେଖ ଥିବାରୁ ଛାତ୍ରୀ ସୁଭଦ୍ରା ଓ ଛାତ୍ର ସାମୁଏଲଙ୍କୁ ପରୀକ୍ଷା ଦେବାକୁ ବାରଣ କରାଯାଇଛି। ସେମାନଙ୍କ ୨ ବର୍ଷର ପାଠ ପଢା ନଷ୍ଟ ହୋଇଥିବା ୨ ପରୀକ୍ଷାର୍ଥୀ କହିଛନ୍ତି। ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅର୍ଜୁନ ଚିଞ୍ଚୁହାଙ୍କୁ ପଚାରିବାରୁ ୨ ଛାତ୍ରୀଛାତ୍ର ଆଡ୍‌ମିଶନ ବେଳେ ଭୁଲ୍‌ରେ ମାତୃଭାଷା ଓଡ଼ିଆ ବଦଳରେ ହିନ୍ଦୀ କରି ବିଦ୍ୟାଳୟରେ ନାମ ଲେଖାଇଥିଲେ। ଏହା ଫର୍ମଫିଲପ ଯାଏ ଅପରିବର୍ତ୍ତିତ ରହିଥିବାରୁ ଏଭଳି ତ୍ରୁଟି ହୋଇଥିବା କହିଛନ୍ତି। ବିଦ୍ୟାଳୟରେ ହୋଇଥିବା ପ୍ରଥମବର୍ଷ ପରୀକ୍ଷା ଆମେ ଓଡ଼ିଆ ଭାଷା ପାଇଁ ଦେଇଥିବା ଓ ସେତେବେଳେ କୌଣସି ଅସୁବିଧା ହୋଇନଥିବା ସୁଭଦ୍ରା ଓ ସାମୁଏଲ କହିଛନ୍ତି। କର୍ତ୍ତୃପକ୍ଷ ଆମକୁ ତ୍ରୁଟି ସଂଶୋଧନ ବା ବିଷୟ ପରିବର୍ତ୍ତନ ନେଇ କଣ କରାଯିବ ସେ ସମ୍ପର୍କରେ କୌଣସି ସୂଚନା ଦେଇ ନ ଥିଲେ ବୋଲି କହି ବର୍ତ୍ତମାନ ଆମେ କଣ କରିବୁ ବୋଲି ପ୍ରଶ୍ନ କରିଛନ୍ତି। ୨ ପରୀକ୍ଷାର୍ଥୀ ଶୁକ୍ରବାର ହୋଇଥିବା ପରୀକ୍ଷା ବ୍ୟତୀତ ଅନ୍ୟ ସମସ୍ତ ପରୀକ୍ଷା ଦେଇପାରିବେ ବୋଲି ପରିକ୍ଷା କେନ୍ଦ୍ର ଅଧ୍ୟକ୍ଷା ବୈଜୟନ୍ତି ସାମଲ ସୂଚନା ଦେଇଛନ୍ତି। ବଳକା ପରୀକ୍ଷାରେ ସଫଳ ହେଲେ ସେମାନେ ପରବର୍ତ୍ତୀ ଇନଷ୍ଟାଣ୍ଡ ପରୀକ୍ଷାରେ କଣ୍ଟ୍ରୋଲର ଓ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ। ଅନୁମତି ମିଳିଲେ ମାତୃଭାଷା ହିନ୍ଦୀକୁ ଓଡ଼ିଆରେ ପରିବର୍ତ୍ତନ କରି ପରୀକ୍ଷା ଦେଇପାରିବେ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share