ବରଗଡ଼,୨୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା କ୍ରିଟିକାଲ କେୟାର ବ୍ଲକରୁ ଯନ୍ତ୍ରପାତି ଚୋରି ଘଟଣା ହଇଚଇ ସୃଷ୍ଟି କରିଛି। ପୋଲିସ ଏହାର ଥଳକୂଳ ପାଇ ପାରି ନ ଥିବାବେଳେ ଆମ୍ ଆଦ୍ମୀ ପାର୍ଟି(ଏଏପି) ଏହାର ଉଚ୍ଚସ୍ତରୀୟ ତଦନ୍ତ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି କ୍ରମରେ ବୁଧବାର ଏଏପି ପକ୍ଷରୁ ବରଗଡ଼ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଗତବର୍ଷ ଅକ୍ଟୋବର ମାସ ୨୯ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ଉକ୍ତ କ୍ରିଟିକାଲ କେୟାର ବ୍ଲକକୁ ଲୋକାର୍ପିତ କରିଥିଲେ। ତେବେ ଏଠାରୁ ଲୋକେ ସେବା ପାଇ ପାରି ନ ଥିବାବେଳେ ଏଠାରେ ଲାଗିଥିବା ବିଭିନ୍ନ ଆଧୁନିକ ଯନ୍ତ୍ରପାତି ସହିତ, ସେଣ୍ଟ୍ରାଲ ଏସି, ପାଣି ଟ୍ୟାପ୍, ଆକ୍ବାଗାର୍ଡ ଆଦି ଚୋରି ହୋଇଯାଇଛି । ତେବେ ଏଠାରେ ବହୁ ସୁରକ୍ଷାକର୍ମୀ, ୨ଜଣ ମ୍ୟାନେଜର ଓ ଗୋଟିଏ ପୋଲିସ ଫାଣ୍ଡି ରହିଛି, ହେଲେ କେହି ମଧ୍ୟ ଚୋର ଧରା ନ ପଡ଼ିବା ଏବଂ ଚୋରି ହୋଇଥିବା ସାମଗ୍ରୀ ନେଇ ଟେର୍ ସୁଦ୍ଧା ନ ପାଇବା ପୋଲିସର କାର୍ଯ୍ୟଦକ୍ଷତାକୁ ପଦାରେ ପକାଇ ଦେଇଛି। ଦାବିପତ୍ର ପ୍ରଦାନ ସମୟରେ ଏଏପିର ରାଜ୍ୟ ସମ୍ପାଦକ ଭବାନୀ ସାହୁ, ଜିଲା ସଭାନେତ୍ରୀ ମରୀୟମ ବାର୍ଲା, କାର୍ଯ୍ୟକାରିଣୀ ସଦସ୍ୟ ଅସିତ ସାହୁ, ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା ପ୍ରମୁଖ ଉପସ୍ଥିତ ଥିଲେ। କ୍ରିଟିକାଲ କେୟାର ବ୍ଲକରେ ହୋଇଥିବା ଚୋରି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ବରଗଡ଼ରେ ଜନ ଆନ୍ଦୋଳନ କରାଯିବ ବୋଲି ଏଏପି ଚେତାବନୀ ଦେଇଛି।