ମୁମ୍ବାଇ: ୯।୯: ୬୦.୪୮ କୋଟି ଟଙ୍କାର ଠକେଇ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଗତ ସପ୍ତାହରେ ହିଁ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଉଭୟଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର (LOC) ଜାରି କରିଥିଲା। ଏବେ ମୁମ୍ବାଇ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସମନ ଜାରି କରିଛି। ସୂଚନା ଅନୁଯାୟୀ, ଏହି ମାମଲା ୧୩ ଅଗଷ୍ଟରେ ପଞ୍ଜିକୃତ ହୋଇଥିଲା। ରାଜ କୁନ୍ଦ୍ରା ଏବେ ୧୫ ସେପ୍ଟେମ୍ବର (ସୋମବାର)ରେ EOW କାର୍ଯ୍ୟାଳୟରେ ପହଞ୍ଚି ତାଙ୍କର ବୟାନ ରେକର୍ଡ କରିବେ। EOWର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ରାଜ କୁନ୍ଦ୍ରାକୁ ବୁଧବାର (୧୦ ସେପ୍ଟେମ୍ବର) ପଚରାଉଚରା ପାଇଁ ଡକାଯାଇଥିଲା, କିନ୍ତୁ ସେ ତାଙ୍କ ପ୍ରତିନିଧିଙ୍କ ମାଧ୍ୟମରେ ଅନୁରୋଧ କରିଥିଲେ ଯେ ସେ ସୋମବାର (୧୫ ସେପ୍ଟେମ୍ବର)ରେ ଯୋଗଦେବେ। ଗତ ସପ୍ତାହରେ, ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ଦମ୍ପତି ପ୍ରାୟତଃ ବିଦେଶ ଯାତ୍ରା କରୁଥିବାରୁ EOW ସେମାନଙ୍କ ବିରୁଦ୍ଧରେ ଏକ ଲୁକଆଉଟ ସର୍କୁଲାର ଜାରି କରିଥିଲା। ତଦନ୍ତ ସମୟରେ ଉଭୟ ମୁମ୍ବାଇରେ ଉପଲବ୍ଧ ରହିବାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା।


