World environment day vector illustration graphic design
ଭୁବନେଶ୍ୱର, ୫।୬(ବ୍ୟୁରୋ): ରୋଟାରୀ କ୍ଲବ୍ ଇକୋ ପକ୍ଷରୁ ଅନ୍ଲାଇନ୍ ଜରିଆରେ ଶୁକ୍ରବାର ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। ଏଥିରେ ରୋଟାରୀ କ୍ଲବ ଇକୋର ସଭାପତି ରାମକୃଷ୍ଣ ଦାଶ ପୌରହିତ୍ୟ କରିଥିଲେ। ରୋଟାରୀ ୩୨୬୨ ଜିଲାର ଗଭର୍ନର ସୌମ୍ୟ ରଞ୍ଜନ ମିଶ୍ର ସ୍ବାଗତ ଭାଷଣ ଦେବା ସହ ଆର୍ଥିକ ପ୍ରଗତି, ସ୍ବାସ୍ଥ୍ୟ ରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ସାଇକେଲ ଚାଳନାର ପ୍ରଚାର, ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ସାଇକେଲର ବ୍ୟବହାର ପାଇଁ ମାନସିକତା ବଦଳିବା ସହ ଏହାର ପ୍ରୋତ୍ସାହନ ପାଇଁ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଜଣାଇଥିଲେ। ମୁଖ୍ୟ ବକ୍ତା ଭାବେ ପରିବହନ କମିଶନର ସଞ୍ଜୀବ ପଣ୍ଡା ଯୋଗଦେଇ ଦିନକୁ ୧୦ କିଲୋମିଟର ସାଇକେଲ ଚାଳନା କରି ଜନସାଧାରଣଙ୍କ ପାଇଁ ଆଦର୍ଶ ପାଲଟିବାକୁ ଆହ୍ବାନ ଦେଇଥିଲେ। ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନର କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅର୍ଜୁନ ପୁରସ୍କାର ବିଜେତା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାଇକେଲ ଚାଳକ ମିନତୀ ମହାପାତ୍ର, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ଆମ୍ବେଦକର ଫାଉଣ୍ଡେଶନର ନିର୍ଦ୍ଦେଶକ ଡ. ଦେବେନ୍ଦ୍ର ମାଝି ପ୍ରମୁଖ ଉପସ୍ଥିତ ଥିଲେ।