ନୂଆଦିଲ୍ଲୀ,୬।୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ବର୍ତ୍ତମାନ ଏକ ନୂଆ ଇତିହାସ ରଚିଛନ୍ତି। ସେ ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ୮୦୦ ବିଲିୟନ ଡଲାର (ପ୍ରାୟ ୬୭ ଲକ୍ଷ କୋଟି ଟଙ୍କାରୁ ଅଧିକ) ସମ୍ପତ୍ତିର ମାଲିକ ହୋଇଛନ୍ତି। କିନ୍ତୁ ଏହି ବିଶାଳ ସଫଳତା ପରେ ମସ୍କ ସୋସିଆଲ ମିଡିଆରେ ଏକ ଚକିତ କଲା ଭଳି ପୋଷ୍ଟ କରି ନିଜର ମନର ଦୁଃଖ ପ୍ରକାଶ କରିଛନ୍ତି।
ମସ୍କ ନିଜର ସୋସିଆଲ ମିଡିଆରେ ଲେଖିଛନ୍ତି, “ଟଙ୍କା ଖୁସି କିଣିପାରେନା, ଯିଏ ଏକଥା କହିଛି ସେ ପ୍ରକୃତରେ ସତ କହିଛି।” ଏକ ଦୁଃଖଭରା ଇମୋଜି ସହ କରାଯାଇଥିବା ଏହି ପୋଷ୍ଟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ଲୋକ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି। କେହି କହୁଛନ୍ତି ଟଙ୍କା ସବୁକିଛି ନୁହେଁ, ତ କେହି କହୁଛନ୍ତି ମସ୍କଙ୍କ ଭଳି ଧନୀ ବ୍ୟକ୍ତି ମଧ୍ୟ ମାନସିକ ଶାନ୍ତି ଖୋଜୁଛନ୍ତି।
ସମ୍ପତ୍ତି ବୃଦ୍ଧି ସହ ମସ୍କ ଏବେ ମହାକାଶକୁ ନେଇ ଏକ ବଡ଼ ମିଶନରେ ଲାଗିଛନ୍ତି। ମସ୍କ ପୃଥିବୀର ଶକ୍ତି ସମ୍ପଦ ଉପରେ ଚାପ କମାଇବା ପାଇଁ ମହାକାଶରେ ‘ଡାଟା ସେଣ୍ଟର’ ତିଆରି କରିବାକୁ ଯୋଜନା କରୁଛନ୍ତି।
ଏହି ଲକ୍ଷ୍ୟ ପୂରଣ ପାଇଁ ସେ ନିଜର ମହାକାଶ ସଂସ୍ଥା ‘SpaceX’ ଏବଂ AI କମ୍ପାନୀ ‘xAI’ କୁ ମିଶ୍ରଣ କରିଛନ୍ତି। ଏହି ମିଳିତ କମ୍ପାନୀର ମୂଲ୍ୟ ପ୍ରାୟ ୧.୨୫ ଟ୍ରିଲିୟନ ଡଲାର ହେବ। ମହାକାଶରେ ପ୍ରାୟ ୧୦ ଲକ୍ଷ ସୌରଶକ୍ତି ଚାଳିତ ସାଟେଲାଇଟ୍ ପଠାଯିବ, ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କୁ ଶକ୍ତି ଯୋଗାଇବ।
ତେବେ ଧନ ସମ୍ପତ୍ତିର ଶୀର୍ଷରେ ଥାଇ ମଧ୍ୟ ମସ୍କଙ୍କ ଏହି ଦାର୍ଶନିକ ପୋଷ୍ଟ ଏବେ ଇଣ୍ଟରନେଟ୍ରେ ଭାଇରାଲ୍ ହେବାରେ ଲାଗିଛି।

