ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ।
ସୂଚନା ଅନୁଯାୟୀ, ଉକ୍ତ ରେଞ୍ଜ ଅଞ୍ଚଳରେ ୩୪ଟି ହାତୀ ଥିବା ବେଳେ ଉକ୍ତ ରେଞ୍ଜ ଅଧୀନ ଭଦ୍ରାଶୋଳ ଗ୍ରାମର ରଘୁ ମାର୍ଣ୍ଡି ମଙ୍ଗଳବାର ରାତି ରେ ଘର ପଛ ବାଡ଼ିକୁ ଶୌଚ ହେବାକୁ ଯାଇଥିଲେ। ଶୌଚ ହେବା ସମୟରେ ଏକ ଦନ୍ତା ହାତୀ ରଘୁଙ୍କୁ ଆକ୍ରମଣ କରିଥିଲା। ହାତୀଟି ଦାନ୍ତରେ ରଘୁଙ୍କ ମୁଁହ ଓ ମୁଣ୍ଡରେ ଭୁସି ରକ୍ତାକ୍ତ କରିଥିଲା। ତେବେ ରଘୁ ରାତିରେ ଘରକୁ ନ ଫେରିବାରୁ ଆଜି ସକାଳେ ପରିବାର ଲୋକେ ଖୋଜାଖୋଜି କରିବାରୁ ରଘୁଙ୍କ ମୃତଦେହ ଘର ପଛ ବାଡ଼ିରେ ପଡିଥିବାର ଦେଖିଥିଲେ। ଖବର ପାଇ ଫୋରେଷ୍ଟର ମାଳତୀଲତା ସିଂ ଏବଂ ବନବିଭାଗ କର୍ମଚାରୀ ମୃତଦେହକୁ ଜବତ କରି ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସରପଞ୍ଚ ମନୋରଞ୍ଜନ ସିଂ, ସମିତି ସଭ୍ୟା ମମତା ମହାନ୍ତି, ଜିଲା ପରିଷଦ ଶ୍ୟାମଶୁନ୍ଦର ଡାକୁଆ ଯୁବ ସମାଜସେବୀ ଉତ୍ତମ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହିତ ହାତୀ ସମସ୍ୟାର ସ୍ଥାୟୀ ସମଧାନ ଏବଂ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
Dharitri – Odisha’s No.1 Odia Daily