ଭଞ୍ଜନଗର,୧୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ହାତୀ ଆତଙ୍କ ଦେଖାଦେଇଛି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ବ୍ୟାପକ କ୍ଷତି ଘଟାଉଛନ୍ତି। କେତେକ ସ୍ଥାନରେ ଘର ଦ୍ୱାର ଭାଙ୍ଗିବା ସହ ଫସଲ ଖାଇ ନଷ୍ଟ କରୁଛନ୍ତି। ଯାହାକୁ ନେଇ ସନ୍ଧ୍ୟା ହେଲେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏହିଭଳି ପରିସ୍ଥିତିରେ ସୋମବାର ରାତିରେ ହାତୀ ଦରପଙ୍ଗି ଗ୍ରାମରେ ପଶି ଘର ଭାଙ୍ଗିବା ସହ ଫସଲ କ୍ଷତି କରିଥିବା ଜଣାପଡ଼ିଛି। ହାତୀପଲ ଘର ଭାଙ୍ଗିବା ପୂର୍ବରୁ ଲୋକେ ଜାଣିଦେଇଥିଲେ। ଫଳରେ ଲୋକେ ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।
ଅପରପକ୍ଷେ ତାରସିଂ ଏବଂ ଗାଲେରୀ ରେଞ୍ଜର ତିଲିସିଙ୍ଗି, ଲେମ୍ଭେଇ ବିଭିନ୍ନ ଗ୍ରାମରେ ହାତୀପଲ ଚାଷୀଙ୍କ ଧାନ ଫସଲ କ୍ଷତି କରିଥିବା ଜଣାପଡିଛି। ବର୍ତ୍ତମାନ ଧାନରେ ପୁଡା ଧରୁଥିବା ବେଳେ ହାତୀ ଯେତିକି ଖାଉଛି ତା’ଠାରୁ ଅଧିକ ୫ ଗୁଣା ଦଳି ଚକଟି ନଷ୍ଟ କରୁଛି। ଯାହାକି ଚିନ୍ତାଜନକ ବିଷୟ। ଅପରପକ୍ଷେ ହାତୀ ପାଇଁ ଲୋକେ ରାତି ଉଜାଗର ରହୁଛନ୍ତି। ଅନ୍ୟପଟେ ବନ ବିଭାଗ କର୍ମଚାରୀ ମଧ୍ୟ ହାତୀକୁ ଘଉଡ଼ାଇବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି। କିନ୍ତୁ ଅମାନିଆ ହାତୀମାନେ ଫସଲ କ୍ଷତି କରୁଛନ୍ତି। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ହାତୀ ଘର ଭାଙ୍ଗିଥିବା ଖବର ଆମ ପାଖରେ ନାହିଁ। ଲୋକଙ୍କ ଧନ ଜୀବନ ଯେଭଳି ସୁରକ୍ଷିତ ରହିପାରିବ ସେଥିପାଇଁ ପଦକ୍ଷେପ ନିଆଯାଇଛି।