ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ବ୍ଳକ ବାଗପୁର ଗ୍ରାମରୁ ସୋମବାର ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମର ଗଣ୍ଠି ମାଝୀ (୬୧) ନାମକ ଜଣେ ବୃଦ୍ଧଙ୍କୁ ହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି । ସବୁଦିନ ଭଳି ବୃଦ୍ଧ ସକାଳୁ ଗାଁ ଶେଷ ମୁଣ୍ଡରେ ରହିଥିବା ନିଜ ଜମିକୁ ଯାଇ କିଛି କାମ କରୁଥିଲେ । ଏହି ସମୟରେ ହଠାତ୍ ଏକ ହାତୀ ଆସି ତାଙ୍କୁ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା।
ଖବର ପାଇ ଘଟଣା ସ୍ଥଳରେ ବାଗପୁର ସରପଞ୍ଚ ଗୋପାଳ ହାତୀ, ଫରେଷ୍ଟର ଭବାନୀ ନାଏକ ଓ ଫରେଷ୍ଟ ଷ୍ଟାଫ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପ୍ରକାଶ ଯେ, ଗତ ୧୩ ତାରିଖ ହାତୀ ଆକ୍ରମଣରେ ଜିଲାର ଭବାନୀପାଟଣା ବ୍ଲକ ଚାଞ୍ଚେର ପଞ୍ଚାୟତର ପରଡ଼ଙ୍ଗଗୁଡା ଲୟା ମାଝୀ (୫୧) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ହାତୀ ଉପଦ୍ରବରେ ଦିନକୁ ଦିନ ଅନେକ ପ୍ରାଣ ଯାଉଛି, ଯାହାକି ଚିନ୍ତାର କାରଣ ସାଜିଛି ।