ନୟାଗଡ଼/ରଣପୁର,୨୫ା୨(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ଖୋର୍ଦ୍ଧା ବନଖଣ୍ଡର ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ଭିନ୍ନଭିନ୍ନ ହାତୀ ଆକ୍ରମଣରେ ବୁଧବାର ସକାଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନୟାଗଡ଼ ଜିଲା ରଣପୁର ରେଞ୍ଜ ମୟୂରଝଲିଆ ଗାଁର କାଳୁ ମହାରଣା (୫୮) ଓ ଖୋର୍ଦ୍ଧା ଜିଲା କୁଞ୍ଜୁରୀ ନରମାନବୀ ଗାଁର ବାବୁଲି ପରିଡ଼ା (୪୬)। କାଳୁ ପୁଅ ସହ ମିଶି ସକାଳ ସମୟରେ ନିଜ କାଜୁ ଜଙ୍ଗଲ ସଫା କରିବା ପାଇଁ ସାଇକେଲ ଯୋଗେ ଯାଉଥିଲେ। ମୟୂରଝୋଲିଆ ସ୍ବାସ୍ଥ୍ୟକେନ୍ଦ୍ର ପାଖରେ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରୁ ପୁଅ ଦୌଡ଼ି ପଳାଇ ଯାଇଥିବା ବେଳେ ବାପା କାଳୁ ବର୍ତ୍ତି ପାରି ନ ଥିଲେ। ହାତୀ ପ୍ରଥମେ କାଳୁଙ୍କ ସାଇକେଲ ଭାଙ୍ଗି ଦେଇଥିଲା। ପରେ କାଳୁଙ୍କୁ ଦଳି ଚକଟି ମାରିଥିଲା।
ଅନ୍ୟପକ୍ଷେ ଜଙ୍ଗଲରେ ଦନ୍ତାହାତୀ ବୁଲୁଥିବା ବେଳେ ବାବୁଲିଙ୍କୁ ଘର କଞ୍ଜୁରୀ ନରମାନବୀ ଗାଁର ବାଡ଼ିପଟୁ ଭିଡ଼ି ନେଇ ଦଳି ଦେଇଥିଲା।
ପ୍ରକାଶ ଥାଉକି, ଗତ ୧ ମାସ ଭିତରେ ରଣପୁର ବନଖଣ୍ଡ ଅଞ୍ଚଳରେ ହାତୀଙ୍କ ଉତ୍ପାତ ବୃଦ୍ଧି ପାଉଛି। ହାତୀ ଆକ୍ରମଣରେ ୨ ରୁ ୩ ଜଣ ପ୍ରାଣ ହରାଇ ସାରିଲେଣି। ତେବେ ବନ ବିଭାଗର ପଦକ୍ଷେପ ନ ଥିବାରୁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି।