ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ ଓ ଦୁର୍ଗାପାଙ୍ଗା ସେକ୍ସନର କିଛି ଅଞ୍ଚଳରେ ଉତ୍ପାତ କରୁଛନ୍ତି ୮ଟିକିଆ ହାତୀପଲ। ରାୟଗଡ଼ା ଜିଲା ଚନ୍ଦ୍ରପୁର ଅଞ୍ଚଳରୁ ୮ଟିକିଆ ହାତୀପଲ ଲାସେରୀ ଓ ଦୁର୍ଗାପାଙ୍ଗା ଅଞ୍ଚଳକୁ ପଶି ଆସିଥିବା ବେଳେ ଅଞ୍ଚଳର କିଛି ଚାଷୀଙ୍କ କପା, ବିରି,ମୁଗ ଆଦି ଫସଲ ହାତୀପଲ ନଷ୍ଟ କରିଥିବା ସୂଚନା ମିଳିଛି। ସେପଟେ ହାତୀର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖିବା ସହ ହାତୀ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଅନ୍ୟପଟେ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ସହ କ୍ଷୟକ୍ଷତିର ଆକଳନ କରୁଛି ବନବିଭାଗ।