ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ ଠାବ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାରୁ ହାତୀଟି ତାଳଚେର ବନାଞ୍ଚଳରୁ ଆସି ବନ୍ତଳା ବନାଞ୍ଚଳ ପଥରଗଡ଼ ସାହି ନିକଟରେ ଅସୁସ୍ଥ ଅବସ୍ଥାରେ ମିଳିଥିଲା। ତେବେ ବିଳମ୍ବିତ ରାତିରେ ଖବରପାଇ ବନ୍ତଳା ରେଞ୍ଜର ପ୍ରସନ୍ନ କୁମାର ସାହୁ, ଫରେଷ୍ଟରେ ଶ୍ରୀନିବାସ ସାହୁଙ୍କ ସମେତ ଏକ ଟିମ ଆସି ହାତୀ ଉପରେ ନଜର ରଖିଥିଲେ। ବନବିଭାଗ ପକ୍ଷରୁ ହାତୀ ଅସୁସ୍ଥ ଥିବା ନେଇ ଗୁରୁବାର ସକାଳୁ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇଥିଲେ । ଖବରପାଇ ଡ଼ା.ପ୍ରଦୀପ୍ତ କୁମାର ସିଂ, ଅନୁଗୋଳ ବନଖଣ୍ଡ ପ୍ରାଣୀ ଚିକିତ୍ସକ ଡା.କିଶୋର ଚଦ୍ର ସାହୁ, ପ୍ରାଣୀ ଚିକିତ୍ସକ ସାତକୋଶିଆ, ଅସିତ୍ ଚକ୍ରବର୍ତ୍ତୀ, ପଶୁ ଚିକିତ୍ସକ କପିଳାସ ପହଞ୍ଚି ଆହାତ ହାତୀର ଚିକିତ୍ସା କରିବା ଆରମ୍ଭ କରିଥିଲେ। ତେବେ ଚିକିତ୍ସା କରୁଥିବା ଡାକ୍ତରୀ ଦଳ କହିଛନ୍ତି, ପ୍ରାୟ ୫ରୁ ୬ଦିନ ତଳେ ହାତୀଟି ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଖାଇଥିବା ସନ୍ଦେହ ହେଉଛି। ହାତୀର ପାଟିରେ ଗଭୀର କ୍ଷତ ହେବା ସହ ତାଳୁରେ କ୍ଷତ ସୃଷ୍ଟି ହୋଇଥିବା ଡାକ୍ତରୀ ଟିମ ପ୍ରକାଶ କରିଛନ୍ତି। ଅସୁସ୍ଥ ଅଣ୍ଡିରା ହାତୀର ବୟସ ୬ରୁ ୭ ବର୍ଷ ହୋଇଥିବା ଅନୁମାନ କରାଯାଉଥିବା ବେଳେ, ଅନୁଗୋଳ ବନଖଣ୍ଡରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀମାନେ ଚ଼ିନ୍ତା ପ୍ରକଟ କରିଛନ୍ତି।

