ଆଜି ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ, ଗୋଡ଼ିବାରୀଠାରେ ଦେଖିବେ ଦର୍ଶକ

ଭୁବନେଶ୍ବର,୧୩।୧୨: ଆଜି ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ । ଗତ ରବିବାର ଏକ ବିଶେଷଜ୍ଞ ଟିମ୍ ଭରତପୁର ଜଙ୍ଗଲରେ ପହଞ୍ଚି ରାମୁର କବରସ୍ଥଳ ପରିଦର୍ଶନ କରିଥିଲେ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ସବୁଠୁ ବୟସ୍କ ଓ ବଡ଼ ହାତୀ ଥିଲା ରାମୁ । ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ।

୨୦୨୪ ଅଗଷ୍ଟ ୧୯ ତାରିଖରେ ବିଦ୍ୟୁତ ଆଘାତରେ ରାମୁର ମତ୍ୟୁ ହୋଇଥିଲା। ତାହାକୁ ଚନ୍ଦକା ସ୍ଥିତ ଗୋଡ଼ିବାରୀଠାରେ ଦର୍ଶକଙ୍କ ପାଇଁ ରଖାଯିବ। ଅଭୟାରଣ୍ୟରେ କଙ୍କାଳ ସବୁକୁ ଖଞ୍ଜାଯିବା ପରେ କେମିକାଲ ଦିଆଯାଇ ଏକ କାଚ ଧରେ ରଖାଯିବ ।

ପ୍ରାଣୀ ବିଜ୍ଞାନୀ ଡ. ଶିବ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ୨୫ଜଣିଆ ଟିମ୍ ଗଠନ କରାଯାଇଛି । ଆଜି ମାସର ଦ୍ବିତୀୟ ଶନିବାର ଛୁଟି ହୋଇଥିବା କାରଣରୁ କବର ଖୋଳାଯାଇ କଙ୍କାଳ ଉଦ୍ଧାର କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ରାମୁର କଙ୍କାଳ ସଂରକ୍ଷଣ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିବା ବେଳେ ବିଭାଗୀୟ ଅନୁମତି ମିଳିବା ପରେ ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।