ରାଉରକେଲା,୩ା୭(ସଙ୍ଗୀତା ଜେନା): ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତବର୍ତ୍ତୀ ସାରାଣ୍ଡାର ଘାଟିରେ ଏକ ଜଙ୍ଗଲୀ ହାତୀ ଆଇଇଡି ବିସ୍ଫୋଣରେ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାଟି ଜୁନ୍ ୨୪ରୁ ୨୬ ମଧ୍ୟରେ ଘଟିଥିବା କୁହାଯାଉଛି। ବନ ବିଭାଗର ଅନେକ ରେଞ୍ଜ ହାତୀଟିକୁ ଉଦ୍ଧାର କରିବାରେ ନିୟୋଜିତ ଅଛନ୍ତି, ଯଦିଓ ହାତୀଟିକୁ ବିଭାଗ ଏପର୍ଯ୍ୟନ୍ତ ଉଦ୍ଧାର କରିନାହିଁ।
ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଆହତ ହାତୀଟିକୁ ପ୍ରଥମ ଏବଂ ଶେଷ ଥର ପାଇଁ ୨୭ ଜୁନ୍ରେ ସାରାଣ୍ଡାର ଦୀଘା ନିକଟସ୍ଥ ଜଙ୍ଗଲରେ ଡ୍ରୋନ ମାଧ୍ୟମରେ ଦେଖାଯାଇଥିଲା। ସେବେଠାରୁ ବନ ବିଭାଗ ହାତୀଟିକୁ ଉଦ୍ଧାର କରିବାରେ ନିୟୋଜିତ ଅଛି। କୁହାଯାଉଛି, ହାତୀଟିର ବୟସ ପ୍ରାୟ ୬ ବର୍ଷ ଏବଂ ଏହା ଏକ ଗୁଡ୍ରୁ ହାତୀ। ଯାହାର ପଛ ବାମ ଗୋଡ଼ ଗୁରୁତର ଭାବରେ ଆହତ ହୋଇ ବହୁତ ଫୁଲିଯାଇଛି। ହାତୀଟି ଜଙ୍ଗଲରେ ତା’ର କ୍ଷତ ଉପରେ ପାଣି ସିଞ୍ଚୁଥିବା ଦେଖାଯାଇଛି।
ମିଳିଥିବା ସୂଚନାନୁଯାୟୀ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶାର ବିଶ୍ରା ବନାଞ୍ଚଳ ବ୍ୟତୀତ ସମତା, ସାସଙ୍ଗଡ଼ା, ଗୁଆ, କୋୟନା ଏବଂ ଆନନ୍ଦପୁର ବନାଞ୍ଚଳର ମୋଟ ୬ଟି ଦଳ ହାତୀଟିକୁ ଖୋଜିବାରେ ନିୟୋଜିତ ଅଛନ୍ତି। ଏହା ସହିତ ଓଡ଼ିଶାର ପ୍ରାଣୀ ଚିକିତ୍ସା ଦଳ
ମଧ୍ୟ ନିୟୋଜିତ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ତାହା ମିଳିନାହିଁ। ଏ ନେଇ ସମତା ବନାଞ୍ଚଳର ଡିଏଫ୍ଓ ଶଙ୍କର ଭଗତ କହିଛନ୍ତି ଯେ, ହାତୀଟି ଆହତ ହୋଇଥିବା ସୂଚନା ଅଛି। ଯଦିଓ ଆଇଇଡି ଦ୍ୱାରା ହାତୀଟି ଆହତ ହୋଇଥିବା ବିଷୟରେ କୌଣସି ସୂଚନା ନାହିଁ। ବନ ବିଭାଗ ଦଳ ହାତୀଟିକୁ ଖୋଜିବାରେ ନିୟୋଜିତ ଅଛି। ଯାହା ଦ୍ୱାରା ତାକୁ ଉଦ୍ଧାର ଏବଂ ଚିକିତ୍ସା କରାଯାଇପାରିବ।