ଗାଁରେ ପଶିଲା ଦନ୍ତା

ବୈଶିଙ୍ଗା,୩୦ା୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଉପକଣ୍ଠ ମହୁରୀ, ଡାହିବାଡି ଓ ରଙ୍ଗାମାଟିଆ ଆଦି ଗ୍ରାମରେ ଏକ ଦନ୍ତାହାତୀ ପଶିଛି। ରବିବାର ସକାଳେ ହଠାତ୍‌ ଗ୍ରାମ ରାସ୍ତାରେ ହାତୀକୁ ଦେଖି ଲୋକ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଏହି ଗୋଠଛଡା ହାତୀର ଆକ୍ରମଣାତ୍ମକ ସ୍ବଭାବ ନ ଥିଲା। ଏହାର ସୁଯୋଗ ନେଇ ବହୁ ସଂଖ୍ୟକ ଯୁବକ ହାତୀର ନିକଟତର ହୋଇ ଫଟୋ ଉଠାଉଥିବା ଲକ୍ଷ୍ୟ କରାଯାଇଥିଲା। ପରେ ବନ ବିଭାଗର ଅଧିକାରୀମାନେ ପହଞ୍ଚି ହାତୀଟିକୁ ଜଙ୍ଗଲ ଆଡ଼କୁ ଘଉଡାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁଣି ହାତୀଟିକୁ ବୈଶିଙ୍ଗା ବଡ଼ସାହି ମୁଖ୍ୟ ରାସ୍ତା ଉପରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ଖିରିପଦା ଠାରେ କିଛି ସମୟ ପାଇଁ ଗାଡ଼ି ମଟର ଚଳାଚଳ ବ୍ୟାହତ ହୋଇଥିଲା। କିଛି ସମୟ ପରେ ହାତୀଟି ଦଲଦଲି ଜଙ୍ଗଲ ଭିତରକୁ ଚାଲି ଯିବା ପରେ ଗାଡ଼ି ମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା।