ଅମରପଲି,୬।୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ରେଞ୍ଜ ଅଞ୍ଚଳରୁ ଯାଉ ନାହାଁନ୍ତି ହାତୀପଲ। ଅଞ୍ଚଳର ବିଭିନ୍ନ ଗ୍ରାମରେ ପ୍ରାୟ ଚାରିଦିନ ହେଲା ଉକ୍ତ ହାତୀପଲ ବ୍ୟାପକ ଧାନଚାଷ ନଷ୍ଟ କରୁଛନ୍ତି। ଉକ୍ତ ହାତୀପଲରେ ପ୍ରାୟ ୧୦ ଟି ହାତୀ ଥିବା ଜଣାପଡ଼ିଛି। ଗତ ବିଳମ୍ବିତ ରାତିରେ କମିରା ପଞ୍ଚାୟତର ବିକଳପୁର ଗ୍ରାମରେ ପ୍ରାୟ ଆଠ ଏକର ଚାଷ ଜମିରେ ଧାନ ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଗ୍ରାମର ନେପାଳ ମେହେର,ଗୋପାଳ ମେହେର,ବେଣୁ ମେହେର,ଯଶୋବନ୍ତ ମେହେର,ଦାମୋଦର ପ୍ରଧାନ,ଈଶ୍ୱର ପ୍ରଧାନ, ଦୁଃଖୁ ପ୍ରଧାନ, ଶଙ୍କର ଭୋଇ, ଚୈତନ୍ୟ ପ୍ରଧାନ ଆଦି ପ୍ରମୁଖଙ୍କ ବ୍ୟାପକ ଧାନ ଚାଷକୁ ଦଳି ଚକଟି ନଷ୍ଟ କରିଛନ୍ତି। ବନ ବିଭାଗର କର୍ମଚାରୀମାନେ ହାତୀପଲ ସ୍ଥାନୀୟ ଲୋକଙ୍କ ସହିତ ଘଉଡ଼ାଉଛନ୍ତି। ମାତ୍ର ହାତୀପଲ ଉକ୍ତ ଅଞ୍ଚଳରୁ ଯାଉନାହାଁନ୍ତି।
ଗତ ଦୁଇ ଦିନ ହେଲା ଖଣ୍ଡହତା ପଞ୍ଚାୟତର ଚୁବକାଦାଦର, ପୁଇପାନ, ଖଣ୍ଡହତା ଆଦି ଗ୍ରାମର ଚାଷ ଜମିରେ ହାତୀପଲ ଧାନ ଚାଷକୁ ଦଳିଚକଟି ନଷ୍ଟ କରିଥିଲେ। ଏନେଇ ବୀରମହାରାଜପୁର ସହକାରୀ ବନ ସଂରକ୍ଷକ ତଥା ଅତିରିକ୍ତ ରେଞ୍ଜ ଦାୟିତ୍ ରେ ଥିବା ରେଞ୍ଜ ଅଧିକାରୀ ଅବିନାଶ ବରିହାଙ୍କୁ ପଚାରିବାରୁ ବନ ବିଭାଗ ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରାଯାଉଛି। ଯେଉଁ ସ୍ଥାନରେ ହାତୀପଲ ଚାଷୀଙ୍କ ଧାନ ଚାଷ ନଷ୍ଟ କହିଛନ୍ତି। ସେଠାରେ ସରକରୀ ନିୟମ ଅନୁସାରେ କ୍ଷୟକ୍ଷତିର ଆକଳନ କରି କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।


