ନୂଆପଡ଼ା,୧୩ା୨(ମକାରୁ ବେମାଲ): ହାତୀ ଭୟ ଯୋଗୁ ରାତି ହେଲେ ଲୋକେ ଗଛ ଉପରେ ଜୀବନ ବିତାଉଛନ୍ତି। ଏଭଳି ଦୃଶ୍ୟ ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଦାତୁନାମା ଗାଁରେ ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୁନାବେଡା ପଞ୍ଚାୟତର ୧୦ ନମ୍ବର ୱାର୍ଡ ଦାତୁନାମା ଗଁାରେ ୭ ପରିବାରର ୪୦ଜଣ ସଦସ୍ୟ ବସବାସ କରନ୍ତି। ସେଥିମଧ୍ୟରେ ୧୪ ଜଣ ଶିଶୁ ରହିଛନ୍ତି। ଆବାସ ଯୋଜନାରେ ସାମିଲ ହୋଇ ନ ଥିବାରୁ ପରିବାର ସଦସ୍ୟ ଚାଳ ଛପର କୁଡିଆରେ ରହିଆସୁଥିଲେ। ଗତ ୩ ତାରିଖ ରାତିରେ ୨୭ ଟିକିଆ ହାତୀପଲ ଗାଁକୁ ଆସି ସବୁ ଘର ଭାଙ୍ଗିଦେବା ସହ ଧାନ, ଚାଉଳ ଖାଇ ଜିନିଷପତ୍ର ନଷ୍ଟ କରି ଦେଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଥଇଥାନ ବ୍ୟବସ୍ଥା କରା ନ ଯିବାରୁ ଗାଁ ଲୋକେ ଗଛ ମୂଳେ ଆଶ୍ରୟ ନେଉଛନ୍ତି। ଦିନବେଳା ଗଛ ତଳେ ରହି ରୋଷେଇ କରି ଖାଇବା ସହ ରାତି ହେଲେ ପୁରୁଷମାନେ ଛୋଟ ଛୁଆଙ୍କୁ ସାଙ୍ଗରେ ଧରି ଗଛ ଉପରେ ବସି ରହୁଥିବା ବେଳେ ମହିଳାମାନେ ଗଛ ତଳେ କାଠ ମଞ୍ଚା କରି ବସିରହନ୍ତି। କାଳେ ରାତିରେ ହାତୀ କିମ୍ବା ଅନ୍ୟ ହିଂସ୍ରଜନ୍ତୁ ଆସିଯିବେ ଭାବି ପୁରୁଷ ଲୋକେ ପାଳି କରି ଗାଁ ଚାରି ପାଖରେ ପହରା ଦେଇଥାନ୍ତି। ଗାଁରେ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ଜଳ ଯୋଗାଣ ଭଳି ସୁବିଧା ନାହିଁ। ବିଜୁଳି ଆଲୋକ ସାତସପନ। ଫଳରେ ଟାୟାର ଜାଳି ରାତିରେ ପୁରୁଷମାନେ ପହରା ଦେଇଥାନ୍ତି। ଗାଁରେ ୪୦ ଜଣ ସଦସ୍ୟ ରହିଥିବାବେଳେ ସମସ୍ତେ ନିରକ୍ଷର। ହାତୀ ଘର ଭାଙ୍ଗିବା ପରେ ପ୍ରଶାସନ ପକ୍ଷରୁ ତାର୍ପୋଲିନ କୁଡିଆ କରି ରହିବା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା। ହେଲେ ୧୦ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁବିଧା କରାଯାଇନାହିଁ। ଗାଁ ଲୋକଙ୍କ ଜମି କିମ୍ବା ଘରଡିହ ପଟ୍ଟା ନ ଥିବାରୁ କୌଣସି ସରକାରୀ ସୁବିଧା ପାଇବାରୁ ବଞ୍ଚତ୍ତ ଅଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ସୁନାବେଡ଼ା ଅଭୟାରଣ୍ୟ ବନଖଣ୍ଡ ଅଧିକାରୀ ସମୀର ସାହୁଙ୍କୁ ପଚାରିବାରୁ ଦାତୁନାମା ଗାଁକୁ ହାତୀ ଆସି ସବୁ ଘରକୁ ଭାଙ୍ଗି ଧୂଳିସାତ କରିଦେଇଛି। ସେମାନଙ୍କୁ ସୁନାବେଡା ଅଭୟାରଣ୍ୟରୁ ନେଇ ତଳେ କୌଣସି ସ୍ଥାନରେ ଘରଡିହ ପାଇଁ ୪ ଡେସିମିଲ ପଟ୍ଟା ଦେଇ ଆବାସ ଯୋଜନାରେ ସାମିଲ କରାଯାଇ ଥଇଥାନ କରାଯିବ ବୋଲି କହିଥିଲେ।