ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ ଠାବ ହୋଇଛି । ମିଳିଥିବା ସୂଚନା ଅନୁସାରେ, ହାତୀଟି ତାଳଚେର ବନାଞ୍ଚଳରୁ ଆସି ବନ୍ତଳା ବନାଞ୍ଚଳ ପଥରଗଡ଼ ସାହି ନିକଟରେ ଅସୁସ୍ଥ ଅବସ୍ଥାରେ ପଡିରହିଥିଲା। ତେବେ ବିଳମ୍ବିତ ରାତିରେ ଖବର ପାଇ ବନ୍ତଳା ରେଞ୍ଜର ପ୍ରସନ୍ନ କୁମାର ସାହୁ, ଫରେଷ୍ଟରେ ଶ୍ରୀନିବାସ ସାହୁଙ୍କ ସମେତ ଏକ ଟିମ ଆସି ହାତୀ ଉପରେ ନଜର ରଖିଥିଲେ। ବନବିଭାଗ ପକ୍ଷରୁ ହାତୀ ଅସୁସ୍ଥ ଥିବା ନେଇ ଗୁରୁବାର ସକାଳୁ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇଥିଲେ ।
ଖବର ପାଇ ଡ଼ା.ପ୍ରଦୀପ୍ତ କୁମାର ସିଂ, ଅନୁଗୋଳ ବନଖଣ୍ଡ ପ୍ରାଣୀ ଚିକିତ୍ସକ ଡା.କିଶୋର ଚଦ୍ର ସାହୁ, ପ୍ରାଣୀ ଚିକିତ୍ସକ ସାତକୋଶିଆ, ଅସିତ୍ ଚକ୍ରବର୍ତ୍ତୀ, ପଶୁ ଚିକିତ୍ସକ, କପିଳାସ,ପହଞ୍ଚି ଆହାତ ହାତୀର ଚିକିତ୍ସା କରିବା ଆରମ୍ଭ କରିଥିଲେ। ତେବେ ଚିକିତ୍ସା କରୁଥିବା ଡାକ୍ତରୀ ଦଳ କହିଛନ୍ତି, ପ୍ରାୟ ୫ରୁ ୬ଦିନ ତଳେ ହାତୀଟି ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଖାଇଥିବା ଜଣାପଡୁଛି । ହାତୀର ପାଟିରେ ଓ ତାଳୁରେ ଗଭୀର କ୍ଷତ ହୋଇଥିଲା।ଏନେଇ ଅନୁଗୋଳ ଡିଏଫ୍ଓ ନୀତିଶ କୁମାର କହିଛନ୍ତି, ଗୁରୁତର ହାତୀଟି ୫୨ ଟିକିଆ ହାତୀପଲ ସହ ସକ୍ରିୟ ଭାବେ ବୁଲାବୁଲି କରୁଥିଲା ।
ଗତ ୧୩ ତାରିଖରୁ ଢେଙ୍କାନାଳ, ଅନୁଗୋଳ, ତାଳଚେର ବନାଞ୍ଚଳରେ ବୁଲାବୁଲି କରିବା ସମୟରେ କୌଣସି ସ୍ଥାନରେ ବିଷ୍ଫୋରକ ଦ୍ରବ୍ୟ ଖାଇଥିବା ଅନୁମାନ କରାଯାଉଛି । ତେବେ ହାତୀର ଚିକିତ୍ସା ଜାରିଥିବା ବେଳେ, ତାକୁ ଅଧିକ ଚିକିତ୍ସା ପାଇଁ କପିଳାସ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଗୁରୁବାର ବିଳମ୍ବିତ ରାତିରେ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସ୍ଥାନାନ୍ତରିତ ବେଳେ, କପିଳାସ ପହଞ୍ଚିବା ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା ରେଞ୍ଜର କହିଛନ୍ତି । ମୃତ୍ୟୁବରଣ କରିଥିବା ଅଣ୍ଡିରା ହାତୀର ବୟସ ୬ରୁ ୭ ବର୍ଷ ହୋଇଥିବା ଅନୁମାନ କରାଯାଇଛି।
ଏନେଇ ଜିଲାର ବୁଦ୍ଧିଜୀବୀ ପ୍ରାଣୀ ପ୍ରେମୀମାନେ ଚ଼ନ୍ତା ପ୍ରକଟ କରିବା ସହ ହାତୀଟି ବିସ୍ଫୋରକ ଖାଇଥିବା ବନବିଭାଗ କିପରି ଜାଣି ପାରିଲାନି ବୋଲି ପ୍ରଶ୍ନ କରିଛନ୍ତି। ଏଥି ସହ ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନାଞ୍ଚଳରେ ବନ୍ୟ ପ୍ରାଣୀ ଶିକାର ପାଇଁ ବିଷ୍ଫୋରକ ଦ୍ରବ୍ୟ, ବେଆଇନ୍ ବିଦ୍ୟୁତ ହୁକିଂ ଦ୍ୱାରା ଶିକାର କରୁଥିବା ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢି ଚାଲିଥିଲା ବେଳେ ଏଦିଗରେ ବନବିଭାଗ ନିଷ୍କ୍ରିୟ ହୋଇପଡିଥିବା ସେମାନେ ଅଭିଯୋଗ କରିଛନ୍ତିି। ତେବେ ଶିକାରୀମାନଙ୍କ ଉପରେ ଦୃଷ୍ଟି ଦିଆଯାଉଛି ଓ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନୁଗୋଳ ଡିଏଫଓ କହିଛନ୍ତି ।