ଭଞ୍ଜନଗର,୭ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ହାତୀପଲଙ୍କ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଏବଂ ଚାଷୀଙ୍କର ଚିନ୍ତା ବଢୁଛି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ରାତିରେ ପ୍ରାୟ ୨୨ ଟିକିଆ ହାତୀ କୁଲାଡ଼ ନିକଟସ୍ଥ ନାରାୟଣପାଟଣା ଅଭିମୁଖେ ଆସି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। କୁଲାଡ଼ ଗ୍ରାମର ଚାଷୀ ଭଗବାନ ପାତ୍ରଙ୍କ ବିଲରେ ଅମଳ ହୋଇଥିବା ପ୍ରାୟ ୮୦ ରୁ ଊର୍ଦ୍ଧ୍ୱ ଧାନ ବସ୍ତାକୁ ହାତୀପଲ ଖାଇ ନଷ୍ଟ କରିବା ସହ ଆଉ କିଛି ଧାନ ବସ୍ତାକୁ ବୋହିନେଇଥିଲେ। ଏଥିସହ ସେଠାରେ ଥିବା ପାଣି ପମ୍ପ୍ ୩ଟି ଓ କଦଳୀ ବଗିଚା ମଧ୍ୟ ନଷ୍ଟ କରିଛନ୍ତି। ଏଥିସହ ଜଟେଶ୍ୱର ପରିଚ୍ଛାଙ୍କ କଦଳୀ ବଗିଚାକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ଭଗବାନ ଏନେଇ ସକାଳୁ ଜାଣିବା ପରେ ଜମିରେ ପହଞ୍ଚି ଦେଖି ଚିନ୍ତିତ ହୋଇପଡ଼ିଥିଲେ। ବର୍ଷ ତମାମର ଅମଳ ଫସଲକୁ ହାତୀପଲ ନଷ୍ଟ କରିଦେଇଛନ୍ତି।
ଏହାପରେ ସେ ବନ ବିଭାଗ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ବନ ବିଭାଗ ଅଧିକାରୀମାନେ ବୁଧବାର ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରି ଆସିଛନ୍ତି। ଫସଲ କ୍ଷତି ପରିମାଣ ଦିନକୁ ଦିନ ବଢୁଛି। ଯାହାକୁ ନେଇ ଚାଷୀମାନେ ଚିନ୍ତିତ ଅଛନ୍ତି। ଅନ୍ୟପଟେ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳକୁ ତଦନ୍ତ କରିବାକୁ ଯିବା ସମୟରେ ଚାଷୀଙ୍କ କଷ୍ଟକୁ ହୃଦବୋଧ କରି ଆଶ୍ୱାସନା ଦେବା ଭଳି କଥା କହିବା ବଦଳରେ ଚାଷୀଙ୍କୁ ବାଧିଲା ଭଳି ମନ୍ତବ୍ୟ ଦେଉଛନ୍ତି। ଏହିଭଳି ମଧ୍ୟ ଆଜି ଘଟିଥିବା କିଛି ଚାଷୀ ଏଠାରେ ସୂଚନା ଦେଇଛନ୍ତି। ଯାହାକୁ ନେଇ ଚାଷୀମାନେ ହତୋତ୍ସାହିତ ହେବା ସହ ସେମାନଙ୍କ ମଧ୍ୟରେ ବିଭାଗ ପ୍ରତି ବିଶାସ କମିଯାଉଥିବା ଲକ୍ଷ୍ୟ କରାଯାଉଛ। ଅନ୍ୟପଟେ କ୍ଷତିପୂରଣ ପାଇଁ ଆସୁଥିବା ଅଭିଯୋଗଗୁଡ଼ିକ ମଧ୍ୟ ତୁରନ୍ତ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଉନାହିଁ। ତଦନ୍ତରେ ବିଳମ୍ବ ଯୋଗୁ ଜମିର ଚିତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ବଦଳି ଯାଉଛି। ଏହାପରେ ବିଭିନ୍ନ ବାହାନା ଦେଖାଇ ଚାଷୀଙ୍କ ଆବେଦନପତ୍ରକୁ ବିଭାଗୀୟ ଅଧିକାରୀ
ଅନୁମୋଦନରେ ଅଙ୍କୁଶ ଲଗାଉଛନ୍ତି। ଆଗାମୀ ଦିନରେ ଏନେଇ ଚାଷୀ ଏବଂ ବନ ବିଭାଗ ମଧ୍ୟରେ ବିବାଦ ବଢ଼ିବା ସମ୍ଭାବନା ରହିଛି। ଏହାପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଅପରପକ୍ଷେ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି ଏଠାରେ କହିଛନ୍ତି ଚାଷୀମାନଙ୍କ କଷ୍ଟକୁ ଆମେ ହୃଦବୋଧ କରୁଛୁ। ସରକାର ନୀତି ନିୟମ ଅନୁସାରେ ଯାହା ସମ୍ଭବ ସେମାନଙ୍କୁ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି। ବହୁ ଚାଷୀ ସହାୟତା ରାଶି ପାଉଛନ୍ତି। ଚାଷୀ ଏବଂ ବନ୍ୟପ୍ରାଣୀ ଉଭୟ କିଭଳି ସୁରକ୍ଷିତ ରହିପାରିବେ ସେଥିପ୍ରତି ବିଭାଗୀୟ କର୍ମଚାରୀ ସର୍ବଦା ଚେଷ୍ଟିତ ବୋଲି ଡିଏଫ୍ଓ ମହାନ୍ତି ସୂଚନା ଦେଇଛନ୍ତି।