ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି । ସେମାନେ ହେଲେ ବେଲଘର ରେଞ୍ଜ ଝିରିପାଣି ଗାଁର କ୍ଷମା ପାତ୍ର (୭୬), ବୃଷଭ ପାତ୍ର (୪୪) ଓ ଗୋକୁଳ ପାତ୍ର (୪୧)।
ଏମାନେ ମୁଣ୍ଡୁଟି ଜଙ୍ଗଲରେ ଜାନୁଆରୀ ୪ରେ ବାରହା ଶୀକାର କରିବା ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ। କିନ୍ତୁ ବିଦ୍ୟୁତ୍ ଫାସରେ ବାରହା ବଦଳରେ ଜାନୁଆରୀ ୫ରେ ଏକ ହାତୀ ଲାଗି ମୃତ୍ୟୁ ହୋଇଥିଲା। ତେବେ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ତଦନ୍ତ କରିବା ସମୟରେ ୩ଜଣ ଶିକାରୀଙ୍କୁ ଜେରା କରିବା ବେଳେ ବିଦ୍ୟୁତ୍ ତାର ବିଛେଇବା ସହ ହାତୀର ମୃତ୍ୟୁ ପରେ ବି ଘଟଣା ସ୍ଥଳରେ ଉପସ୍ଥିତ ରହିଥିବା କହିଥିଲେ।
ପୂର୍ବରୁ ଫେବୃଆରୀ ୪ରେ ଝିରିପାଣି ଅଞ୍ଚଳର ଅନ୍ୟ ୩ ଶିକାରୀକୁ ଗିରଫ କରିବା ସହ ୩ ଦେଶୀ ବନ୍ଧୁକ, ବିଦ୍ୟୁତ ତାର, ଛାଲ, ସିଂଘ ସମେତ ବନ୍ୟ ଜୀବଜନ୍ତୁଙ୍କ କଙ୍କାଳ ଆଦି ବନ ବିଭାଗ ଜବତ କରିଥିଲା। ତେବେ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ଏଯାବତ ୬ ଜଣ ଶିକାରୀ, ଫେରାର ଡେପୁଟି ରେଞ୍ଜରଙ୍କ ଡ୍ରାଇଭର, ଜେସିବି ଅପେରେଟର ସମେତ ମୋଟ ୧୦ଜଣ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହାତୀ ମୃତ୍ୟୁ ପରେ ଘଟଣାକୁ ଚପେଇଦେବାକୁ ଉଦ୍ୟମ କରି ହାତୀ ମୃତଦେହକୁ ୩୨ଖଣ୍ଡ କରି ପୋତି ଦେଇଥିଲେ। ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଛି। ହେଲେ ତାଙ୍କ ବିରୋଧରେ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସେ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି।
ସେହିପରି ତଦନ୍ତ ରିପୋର୍ଟକୁ ଚପେଇଦେବା ନେଇ ଏସିଏଫ ସୂର୍ଯ୍ୟକାନ୍ତ ବେହେରାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏହିସମ୍ପର୍କରେ ଅଧିକ ତଦନ୍ତ ଅବ୍ୟାହତ ରହିଥିବା ବିଷୟ ତଦନ୍ତକାରୀ ଅଧିକାରୀ ତଥା ଏସିଏଫ ମନୋରଞ୍ଜନ ବାଗ କହିଛନ୍ତି।