କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ ମିଳେ। ଏଭଳି ଏକ ରୋମାଞ୍ଚକର ହାତୀର ଭିଡିଓ
ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ତେବେ ଏହା କେଉଁଠି ଓ କେବେ ଘଟିଛି, ସଠିକ୍ ଜଣା ପଡ଼ିନାହିଁ । ତେବେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ସରେଇ ଗ୍ରାମ ନିକଟ ବୈତରଣୀ ନଦୀ ଏହି ଦୃଶ୍ୟ ବୋଲି ଆଲୋଚନା ହେଉଛି ।
ହାତୀଟି ଜଣେ ବ୍ୟକ୍ତିଙ୍କ କଥାରେ ନୃତ୍ୟ ଭଙ୍ଗିରେ ପ୍ରଦର୍ଶନ କରୁଥିବା ଭିଡିଓରେ ଦେଖାଯାଇଛି । ଏହି ଦୃଶ୍ୟ ଅନେକ ଲୋକଙ୍କୁ ମୋହିତ କରିଛି । ଏହି ଦୁର୍ଦ୍ଦାନ୍ତ ଦନ୍ତା ହାତୀର ଏଭଳି ଖୁସି ମୁଡ଼ରେ ଥିବା ଦୃଶ୍ୟ ହୁଏତ ବହୁତ ବିରଳ । ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବକ ଏହି ଜଙ୍ଗଲୀ ଦନ୍ତା ହାତୀକୁ ଦୂରରୁ ଦେଖି ପାଟି କରି ନାଚୁଛନ୍ତି ଏବଂ ତାଙ୍କ ସାଙ୍ଗ ଭିଡିଓ ବନାଉଛନ୍ତି । ଯୁବକର ଅଣ୍ଟା ହଲାଇ ନାଚିବା ଦେଖି ହାତୀଟି ମୁଣ୍ଡ ହଲାଇ ଝୁମୁଛି ।
ଯୁବକ ଜଣକ ହାତୀକୁ ରାଜୁ ବୋଲି ସମ୍ବୋଧନ କରି ନାଚୁ ଛନ୍ତି ଓ ଗୀତ ଗାଉଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହାତୀଟି ମଧ୍ଯ ଉକ୍ତ ଯୁବକଙ୍କ କଥାରେ ତାଳଦେଇ ଝୁମି ଉଠୁଛି । ସତେ ଯେମିତି ସେ ଯୁବକର ଆବେଗ ବୁଝି ପାରି ପରିବେଷଣ କରୁଛି । ଏହି ଛୋଟିଆ ଭିଡିଓ କ୍ଲିପଟି ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଗୋଠ ଛଡା ଦନ୍ତା ବୈତରଣୀ ନଦୀପଠାକୁ ଚାଲି ଆସିଥିବାବେଳେ, ଲୋକେ ହାତୀକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଏହି ସମୟରେ ଜଣେ ଯୁବକ ଦନ୍ତା ହାତୀ ସମ୍ମୁଖରେ ନାଚିବା ସହ ତାକୁ ରାଜୁ ବୋଲି ସମ୍ବୋଧନ କରି ହାତ ଯୋଡ଼ି ଅଣ୍ଟା ହଲାଇବା କ୍ଷଣେ ଯୁବକର ନାଚ ସହିତ ତାଳ ମିଶାଇ ହାତୀ ମୁଣ୍ଡ ହଲାଇ ନାଚୁଥିବାର ଦେଖାଯାଉଛି। ତେବେ ଏହାକୁ ନେଇ ସ୍ଥାନୀୟ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରିଆ କହିଛନ୍ତି ତାଙ୍କ ପାଖରେ ସେଭଳି କୌଣସି ସୂଚନା ନାହିଁ, ତେବେ ଏହାର ଅନୁଧ୍ୟାନ କରିବେ ।
Dharitri – Odisha’s No.1 Odia Daily