ଭୁବନେଶ୍ୱର,୪ା୧୨(ସୁନିତ୍ ମିଶ୍ର):ରାଜ୍ୟର ସକ୍ରିୟ ଗ୍ରାହକ ଏବଂ ସକ୍ରିୟ ଶିଳ୍ପ ଓ ବାଣିଜି୍ୟକ ଗ୍ରାହକଙ୍କ ଉପରେ ୬୯୫୭.୫୭ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବାକିପଡ଼ିଛି। ଏହି ତଥ୍ୟ ବିଦ୍ୟୁତ୍ ବିତରଣ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି, ରାଜ୍ୟର ସକ୍ରିୟ ଗ୍ରାହକମାନଙ୍କ ଉପରେ ସର୍ୱମୋଟ୍ ୬୫୫୮.୬୪ କୋଟି ଟଙ୍କା ବିଜୁଳି ବିଲ୍ ବାକି ପଡ଼ିଛି। ସେହିପରି ବିଭିନ୍ନ ସକ୍ରିୟ ଶିଳ୍ପ ଏବଂ ବାଣିଜି୍ୟକ ଗ୍ରାହକମାନେ ୩୯୮.୯୩ କୋଟି ଟଙ୍କା ବାକି ରଖିଛନ୍ତି। ରାଜ୍ୟରେ ଟାଟା କମ୍ପାନୀ ବିଦ୍ୟୁତ୍ ବିଲ୍ ଆଦାୟ ଦାୟିତ୍ୱ ନେଇଛି। ଏହା ଅଧୀନରେ ଥିବା ଟିପିସିଓଡିଏଲ୍ ୭୦.୫୨ କୋଟି, ଟିପିଏନ୍ଓଡିଏଲ୍ ୨୨୯.୨୧ କୋଟି, ଟିପିଏସ୍ଓଡିଏଲ୍ ୨୩.୫୮ କୋଟି ଏବଂ ଟିପିଡବ୍ଲ୍ୟୁଓଡିଏଲ୍ ୭୫.୬୨ କୋଟି ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍ ବିଭିନ୍ନ ଶିଳ୍ପ ଓ ବାଣିଜି୍ୟକ ପ୍ରତିଷ୍ଠାନଠାରୁ ଆଦାୟ କରିନାହାନ୍ତି। ଏହି ବିଲ୍ ଆଦାୟ ଲାଗି ବିଦ୍ୟୁତ୍ ବିତରଣକାରୀ ସଂସ୍ଥାଗୁଡିକ ତରଫରୁ ଘରକୁ ଘର ଯାଇ ଦେୟ ଆଦାୟ କରାଯାଉଛି। ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ଲାଗି ବିତରଣକାରୀ ସଂସ୍ଥାଗୁଡ଼ିକ ତରଫରୁ ତାରିଖଓ୍ୱାରି ଶିବିର କରାଯାଇ ବିଲ୍ ଆଦାୟ ଚାଲିଛି। ଯେଉଁ ଉପଭୋକ୍ତାମାନେ ବିଦ୍ୟୁତ୍ ବିଲ୍ ଧାର୍ଯ୍ୟ ତାରିଖରେ ପଇଠ ନ କରନ୍ତି ସେମାନଙ୍କୁ ପୂର୍ୱରୁ ନିର୍ଦ୍ଦେଶନାମା ଦିଆଯାଇ ସେମାନଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଉଛି। ଉପଭୋକ୍ତାଙ୍କ ସୁବିଧା ପାଇଁ ତଥା ତତ୍କ୍ଷଣାତ୍ ବକେୟା ବିଲ୍ ପୈଠ ପାଇଁ ଅନ୍ଲାଇନ ପେମେଣ୍ଟ ବ୍ୟବସ୍ଥା କରାଯାଇଛି। ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମପଞ୍ଚାୟତରେ ଡିଜିଟାଲ ସଚେତନତା ବୃଦ୍ଧି କରାଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ବିଧାୟକ ଗୌତମବୁଦ୍ଧ ଦାସ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ସିଂଦେଓ କହିଛନ୍ତି, ରାଜ୍ୟରେ ପ୍ରାୟ ୮୮ ଲକ୍ଷ ପରିବାରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ସେଥି ମଧ୍ୟରୁ ପ୍ରାୟ ୧୬.୭୭ ଲକ୍ଷ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଯାଇଛି। ସ୍ମାର୍ଟ ମିଟର ବାବଦରେ ଉପଭୋକ୍ତାମାନଙ୍କଠାରୁ ଓଇଆର୍ସିଙ୍କ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଖୁଚୁରା ବିଦ୍ୟୁତ୍ ଯୋଗାଣ ଶୁଳ୍କ ଆଦେଶନାମାରେ ଥିବା ପ୍ରାବଧାନ ଅନୁଯାୟୀ ମିଟର ଭଡ଼ା ଆଦାୟ କରାଯାଉଛି। ସୂଚନାଯୋଗ୍ୟ, ସ୍ମାର୍ଟ ମିଟର ବସାଇବାକୁ କେତେ ଟଙ୍କା ମିଟର ଭଡ଼ା ବାବଦକୁ ଆଦାୟ କରାଯାଉଛି ତା’ର ତଥ୍ୟ ନ ଦେଇ ପ୍ରାବଧାନ ଶବ୍ଦ କଥା କହି ଏହାକୁ ଏଡ଼ାଇଯାଇଛନ୍ତି।