ବକେୟା ପଡ଼ିଛି ୪.୫ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌: ୨ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ

ଥୁଆମୂଳ ରାମପୁର,୨ା୩(ଦୁର୍ଗା କୀର୍ତ୍ତି): ଗ୍ରୀଷ୍ମଋତୁ ଆରମ୍ଭରୁ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ପାଇଁ ହାହାକାର ଦେଖାଦେଇଛି। ପଞ୍ଚାୟତ ପ୍ରଶାସନର ଚରମ ଅବହେଳା ଓ ବିଦ୍ୟୁତ୍‌ ବିଲ୍‌ ପୈଠ କରିବାରେ ବିଫଳତା ଯୋଗୁ ବିଗତ ଦୁଇ ଦିନ ହେଲା ସମ୍ପୂର୍ଣ୍ଣ ଜଳଯୋଗାଣ ବନ୍ଦ ହୋଇଯାଇଛି। ଫଳରେ ସଦର ମହକୁମାର ବସ୍ତିବାସିନ୍ଦା ଓ ବିଭିନ୍ନ ପଡ଼ାରେ ରହୁଥିବା ଜନସାଧାରଣ ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ମିଳିଥିବା ସୂଚନା ମୁତାବକ, ୨୦୨୫-୨୬ ଆର୍ଥିକ ବର୍ଷରେ ଥୁଆମୂଳ ରାମପୁର ପଞ୍ଚାୟତର ପ୍ରାୟ ୪.୫ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି ରହିଛି। ବ୍ଲକର ଅନ୍ୟ ୨୪ଟି ଗ୍ରାମପଞ୍ଚାୟତ ବସୁଧା ଯୋଜନାର ବିଦ୍ୟୁତ୍‌ ବିଲ ପୈଠ କରିଥିବା ବେଳେ ସଦର ପଞ୍ଚାୟତର ଏହି ବିଫଳତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ସୁଭଜିତ ଜେନା କହିଛନ୍ତି ଯେ, ବକେୟା ବିଲ୍‌ ସମ୍ପର୍କରେ ସରପଞ୍ଚ ବିଜୟା ମାଝୀ ଓ ପିଇଓ ଟଙ୍କଧର ସାହୁଙ୍କୁ ବାରମ୍ବାର ସୂଚନା ଦିଆଯାଇଥିଲା। ଏପରିକି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବିଲ ପୈଠ କରାଯାଇ ନଥିଲା। ଶେଷରେ ବାଧ୍ୟ ହୋଇ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ପାଣି ସଂଯୋଗ ବିଚ୍ଛିନ୍ନ ହେବା ପରେ ଗ୍ରାମବାସୀ ଡହଳବିକଳ ହେଉଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ନିରୁଦ୍ଦିଷ୍ଟ ରହିବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜାଣିବା ପାଇଁ ସରପଞ୍ଚ ଓ ପିଇଓଙ୍କୁ ବାରମ୍ବାର ଫୋନ୍‌ କରାଯାଇଥିଲେ ହେଁ ସେମାନେ ଫୋନ୍‌ ଉଠାଇ ନ ଥିଲେ। ଜନସାଧାରଣଙ୍କ ସେବା ପାଇଁ ନିଯୁକ୍ତ ପ୍ରତିନିଧି ଓ ଅଧିକାରୀଙ୍କ ଏଭଳି ଉଦାସୀନ ମନୋଭାବ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବସୁଧା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ପାଣି ଟ୍ୟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ସାମାନ୍ୟ ବିଲ୍‌ ପାଇଁ ଲୋକଙ୍କୁ ଶୋଷରେ ରହିବାକୁ ପଡ଼ୁଛି। ତୁରନ୍ତ ବକେୟା ବିଲ ପୈଠ କରି ଜଳଯୋଗାଣ ସ୍ବାଭାବିକ ନ କଲେ ଆଗାମୀ ଦିନରେ ଅଞ୍ଚଳବାସୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Dharitri –Odisha’s No.1 Trusted Odia Daily

Share