ନୂଆପଡ଼ା,୨୪ା୧୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଭରୁଆମୁଣ୍ଡା ଗାଁ ପଦରଗୋସେନ ବନ୍ଧରେ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ ହଟାଇବାକୁ ଦାବି ହୋଇଛି। ସୂଚନା ଅନୁଯାୟୀ ଭରୁଆମୁଣ୍ଡା ଗାଁରେ ୧୫୦ରୁ ଊର୍ଦ୍ଧ୍ୱ ପରିବାରରେ ୧୨ ଶହରୁ ଅଧିକ ଲୋକ ବାସ କରୁଛନ୍ତି ା ଗାଁରେ ଶୌଚସ୍ନାନ ପାଇଁ ସରକାରୀ ପୋଖରୀ କିମ୍ବା ଅନ୍ୟ ସୁବିଧା ନ ଥିବାରୁ ପୁଣ୍ୟ ମାଝିଙ୍କ ପଦରଗୋସେନ ବନ୍ଧ ଉପରେ ଗାଁ ଲୋକେ ନିର୍ଭର କରନ୍ତି ା ସେମାନେ ଶୌଚ ସ୍ନାନଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ସେହି ବନ୍ଧ ପାଣି ବ୍ୟବହାର କରନ୍ତି ା ରାସ୍ତା କଡରେ ବନ୍ଧ ରହିଥିବାରୁ ପଥିକ ଓ ଯାନବାହନରେ ଯାଉଥିବା ଲୋକେ ଏହାର ପାଣି ବ୍ୟବହାର କରୁଛନ୍ତି। ଏହାଛଡା ୩୫୩ ନମ୍ବର ଜାତୀୟ ରାଜପଥ ତରବୋଡଠାରୁ ଲାଠୋର ଦେଇ ବଲାଙ୍ଗୀରକୁ ସିଧାସଳଖ ରାସ୍ତା ରହିଥିବାରୁ ଅନେକ ଯାନବାହନ ଅଟକି ସେଠାରେ ଡ୍ରାଇଭରମାନେ ଶୌଚସ୍ନାନ ହେବା ସହ ରୋଷେଇ କରି ଖାଇଥାନ୍ତି। ବନ୍ଧ ଭିତର ଦେଇ ୧୧ କେଭି ତାର ଯାଇଥିବା ଦୁଇଟି ବିଦ୍ୟୁତ୍ ଖୁଣ୍ଟ ରହିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଶୌଚସ୍ନାନ କରୁଛନ୍ତି। କେତେବେଳେ ଏହା ପଡିଯିବା ସମ୍ଭାବନା ରହିଛି। ବନ୍ଧ ଭିତରୁ ବିଦ୍ୟୁତ୍ ଖୁଣ୍ଟ କାଢି ବାହାରେ ପୋତାଯାଉ ବୋଲି ଗ୍ରାମବାସୀ ଅନେକ ଥର ଲିଖିତ ଭାବରେ ଜଣାଇଛନ୍ତି। ହେଲେ କୌଣସି ସୁଫଳ ମିଳିନାହିଁ। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତପକ୍ଷ ଦୃଷ୍ଟି ଦେଇ ବନ୍ଧ ଭିତରେ ଥିବା ବିଦ୍ୟୁତ୍ ଖୁଣ୍ଟ ବାହାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ା
Dharitri – Odisha’s No.1 Odia Daily


