ଝିଅ ଦେହ ଖରାପ ଖବର ପାଇ ଯାଇଥିଲେ ଦିଲ୍ଲୀ: ନିଖୋଜ ହେବାର ୪ ବର୍ଷ ପରେ ଜୀବିତ ଫେରିଲେ ବୃଦ୍ଧ 

ଉମରକୋଟ, ୨୨।୧୧(ସନ୍ତୋଷ ଶତପଥୀ): ୪ ବର୍ଷ ତଳେ ଦିଲ୍ଲୀରୁ ନିଖୋଜ ଥିବା ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳ ଦଶରାପଦା ସାହିର ଲାଲୁ ହରିଜନ (୬୫) ଘରକୁ ଫେରିଛନ୍ତି। ବାପାଙ୍କୁ ପାଇବା ଆଶା ହରାଇ ଦେଇଥିବା ତାଙ୍କ ପିଲାମାନେ ଲାଲୁଙ୍କୁ ପାଖରେ ପାଇ ବେଶ୍‌ ଖୁସି ଅଛନ୍ତି। ତେବେ ଏହା ମଧ୍ୟରେ ଲାଲୁଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇସାରିଛି। ଜୀବନର ଶେଷ ଅବସ୍ଥାରେ ମା’ ବାପାଙ୍କୁ ଦେଖି ପାରିଲା ନାହିଁ ଏହାର ଦୁଃଖ ଅଛି। କିନ୍ତୁ ବାପାଙ୍କୁ ପାଖରେ ପାଇ ଖୁସିଥିବା ଲାଲୁଙ୍କ ପିଲାମାନେ କହିଛନ୍ତି।
ସୂଚନାନୁଯାୟୀ ଦିଲ୍ଲୀରେ ରହୁଥିବା ସାନ ଝିଅ ଚନ୍ଦନାଙ୍କ ଦେହ ଖରାପ ଖବରପାଇ ତାଙ୍କୁ ଘରକୁ ଆଣିବାକୁ ଲାଲୁ ୧୬ ଜୁଲାଇ ୨୧ରେ ବଡ଼ ଝିଅ ଛବିଳା ସୁନାନୀ, ଜ୍ୱାଇଁ ହିମାଂଶୁଙ୍କ ସହ ସେଠାକୁ ଯାଇଥିଲେ। ୧୮ ଜୁଲାଇ ଅପରାହ୍ନ ପ୍ରାୟ ୪ଟାରେ ଲାଲୁ କାହାକୁ କିଛି ନ କହି ଘରୁ ବୁଲାବୁଲି କରିବାକୁ ଯାଇଥିଲେ। କିନ୍ତୁ ସେଠାରୁ ଆଉ ଫେରି ନ ଥିଲେ। ଅନେକ ଖୋଜାଖୋଜି ପରେ ସେ ନ ମିଳିବାରୁ ପରିବାର ଲୋକେ ଦିଲ୍ଲୀର ସ୍ଥାନୀୟ ଥାନାରେ ଓ ଲାଲୁଙ୍କ ସ୍ତ୍ରୀ ଚନ୍ଦ୍ରିକା ଉମରକୋଟ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଲାଲୁ ବୁଲାବୁଲି କରିବା ବେଳେ ମୁଣ୍ଡ ବୁଲାଇ ରାସ୍ତାକଡ଼ରେ ପଡ଼ି ଥିବାର ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୁସ୍ଥ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ରତ୍ନାକର ଫାଉଣ୍ଡେଶନରେ ରଖାଯାଇଥିଲା।
ସେଠାରେ ଦେହ ଖରାପ ହେବା ପରେ ମହାରାଷ୍ଟ୍ରର ରାଇଗଡ଼ରେ ଏକ ପୁନଃ ଥାଇଥାନ କେନ୍ଦ୍ରରେ ଲାଲୁଙ୍କ ଚିକିତ୍ସା କରାଯାଉଥିଲା। ସେଠାରେ ସେ ସମ୍ପୂର୍ଣ୍ଣ ସୁସ୍ଥହେବା ପରେ ନିଜ ଗାଁ ଠିକଣା କହିଥିଲେ। ପରେ ଉକ୍ତ ସଂସ୍ଥା ଲାଲୁଙ୍କ ପରିବାରକୁ ଯୋଗାଯୋଗ କରି ରାଇଗଡ଼ ଡକାଇଥିଲେ। ସେମାନେ ରାଇଗଡ଼ରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ଲାଲୁଙ୍କୁ ହସ୍ତାନ୍ତର କରିବା ସହ ୨ ମାସର ଅଗ୍ରିମ ଔଷଧ ଦେଇଥିଲେ। ଏପରି କି ପୁଣି ତାଙ୍କୁ ଚିକିତ୍ସା କରିବା ପାଇଁ ରାଇଗଡ଼ ଆଣିବା ପାଇଁ କହିଛନ୍ତି।