ଶିକ୍ଷକ ନାଁରେ କଳଙ୍କ:  ଭୟ ଦେଖାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର, ଉଠାଇ ନେଲା ପୋଲିସ

ଫୁଲବାଣୀ, ୩ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୋଛାପଡା ଥାନା ଅଞ୍ଚଳ କଟ୍ରିଙ୍ଗିଆରେ ଥିବା ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର କରିଛନ୍ତି। ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି। ଘଟଣାକୁ ନେଇ ସମଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ମିଳିଥିବା ସୁଚନା ଅନୁସାରେ, ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ନଭେମ୍ବର ୨୧ରେ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା। ସମ୍ପୃକ୍ତ ଶିକ୍ଷକ ଛାତ୍ରୀଙ୍କୁ ତାଙ୍କ ପ୍ରକଳ୍ପ ନେଇ ସେଠାକୁ ଯାଇଥିଲେ। ଫେରିବା ବାଟରେ ଅନ୍ଧାର ହେବାରୁ ସୁଯୋଗ ନେଇ ଛାତ୍ରୀଙ୍କୁ ଭୟ ଦେଖାଇ ବଳାତ୍କାର କରିଥଲେ। ଏହି ସମୟରେ ଛାତ୍ରୀଙ୍କ ଚେତା ଚାଲି ଯାଇଥିଲା। ଚେତା ଫେରିବାରୁ ତାଙ୍କୁ ନେଇ ଘର ପାଖରେ ଛାଡିବା ସହ ଏହି ବିଷୟରେ କାହାକୁ କିଛି ନ କହିବାକୁ ଧମକ ଦେଇଥିଲେ।
ଏହା ପରେ ଘଟଣା ସମାପ୍ତ ହୋଇ ନ ଥିଲା। ସମ୍ପୃକ୍ତ ଶିକ୍ଷକ ହଷ୍ଟେଲ ଦାୟିତ୍ୱରେ ରହି ବିଦ୍ୟାଳୟରେ ରହୁଥିଲେ। ଏହା ଭିତରେ ଛାତ୍ରୀଙ୍କୁ ଡାକି ଗତ ୧୮ ତାରିଖ ମଧ୍ୟରେ ୬ ଥର ବଳାତ୍କାର କରିଥିଲେ ା ଘଟଣା ସମ୍ପର୍କରେ ଝିଅର ସାଙ୍ଗସାଥି ଜାଣିବା ପରେ ପ୍ରଧାନଶିକ୍ଷଙ୍କୁ ଅବଗତ କରିଥିଲେ। ହେଲେ ସେ କୌଣସି ପଦକ୍ଷେପ ନେଇ ନ ଥିଲେ। ଝିଅର ଶାରିରୀକ ଅବସ୍ଥା ବିଗିଡିବାରୁ ଅନ୍ୟ ଜଣେ ଶିକ୍ଷକ ପରିବାରଲୋକଙ୍କୁ ଖବର ଦେଇଥିଲେ। ସମ୍ପୃକ୍ତ ନାବାଳିକା ଘରଲୋକଙ୍କ ଆଗରେ ସବୁ କଥା କହିବା ପରେ ତାଙ୍କ ମା’ ଗୋଚ୍ଛାପଡା ଥାନାରେ ଏତଲା ଦେଇଥିଲେ।
 ଏନେଇ ପଚରା ଯିବାରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଜା କୁମାର ବେହେରା କହିଛନ୍ତି ଯେ, ମୋତେ କାଲି ଝିଅ ମାନେ ଆସି କହିଲେ ଯେ ସାର୍‌ ପୁଅପିଲାଙ୍କୁ ବାହାରକୁ ପଠାଇ ଦିଅନ୍ତୁ। ଆମେ କଥା ହେବୁ। ମୁଁ ପୁଅମାନଙ୍କୁ ପଠାଇଲା ପରେ ଝିଅମାନେ କହିଲେ ସମ୍ପୃକ୍ତ ସାର ଆମ ଦେହରେ ଅଶ୍ଳୀଳ ଭାବେ ହାତ ମାରୁଛନ୍ତି। ମୁଁ ପିଲାମାନଙ୍କୁ କହିଲି ହଉ ଠିକ ଅଛି ଏ ବିଷୟରେ ମୁଁ ପଦକ୍ଷେପ ନେଉଛି। ମୁଁ ବିଦ୍ୟାଳୟ କମିଟି ମେମ୍ବେରଙ୍କୁ ଡାକି କଥା ହେବାକୁ କହିଥିଲି। ଶୁଣିବାକୁ ପାଇଲି ସମ୍ପୃକ୍ତ ଶିକ୍ଷକଙ୍କୁ ପୋଲିସ ଉଠାଇ ନେଇଛି। ଯେହେତୁ ଘଟଣା ତଦନ୍ତ ପରିସରରେ ଅଛି, ମୁଁ ଅଧିକ କିଛି କହିବି ନାହିଁ ବୋଲି ସେ କହିଛନ୍ତି। ସେହିପରି ଏ ସମ୍ପର୍କରେ ସଦର ଏସ୍‌ଡିପିଓ ଶୁଭ୍ରଜିତ ବିଶ୍ୱାଳ ଘଟଣା ଅତି ସମ୍ବେଦନଶୀଳ ା ଘଟଣାର ତଦନ୍ତ ହେଉଛି ବୋଲି କହିଛନ୍ତି।
Dharitri – Odisha’s No.1 Odia Daily

Share