ରାଜ୍ୟର ଏହି ୮ ସୁନା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ନିମ୍ନମାନର ଅଳଙ୍କାର ବିକ୍ରି ଅଭିଯୋଗ

ଭୁବନେଶ୍ୱର,୨୪ା୯: ଓଡ଼ିଶାରେ ନିମ୍ନମାନର ସୁନା ଅଳଙ୍କାର ବିକ୍ରି ଅଭିଯୋଗରେ ୮ ଜଣ ସୁନା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୁଧବାର ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି।

ଗତ ୩ ବର୍ଷରେ ସମ୍ବଲପୁର, ଜଗତସିଂହପୁର, ପୁରୀ, ବରଗଡ଼, ଝାରସୁଗୁଡ଼ା, ଗଞ୍ଜାମ ଓ ଖୋର୍ଦ୍ଧା ଜିଲାର ୮ ଜଣ ସୁନା ବ୍ୟବସାୟୀ ନିମ୍ନମାନର ଅଳଙ୍କାର ବିକ୍ରି କରୁଥିବା ଧରାପଡ଼ିଛନ୍ତି। ରାଜ୍ୟ ସରକାର ଜଗତସିଂହପୁରର ରାଜଶ୍ରୀ ଜୁଏଲାରୀ, ପୁରୀର ସୁନା ଓ ଚାନ୍ଦି ଘରା, ବରଗଡ଼ର ରାଧାକାନ୍ତ ଜୁଏଲାରୀ ଓ ସମ୍ବଲପୁରର ଅଳଙ୍କାର ଜୁଏଲାରୀର ପଞ୍ଜୀକରଣ ବାତିଲ କରିଛନ୍ତି। ଭୁବନେଶ୍ୱରର ଶ୍ରୀକୃଷ୍ଣ ଜୁଏଲାରୀ, ଝାରସୁଗୁଡ଼ାର ପାଓ୍ୱାନ ଅଳଙ୍କାର ଓ ଗଞ୍ଜାମର ଶ୍ରୀନାଥ ଜୁଏଲାରୀଙ୍କୁ ନୋଟିସ ଜାରି ହୋଇଛି। ସମ୍ବଲପୁରର ଅମ୍ବିକା ଜୁଏଲାରୀଙ୍କ ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ।

ଏହା ସହ, ଗତ ୩ ବର୍ଷରେ ସୁନାର ଭୁଲ ମାପ ଅଭିଯୋଗରେ ୧୪ ଜଣ ବ୍ୟବସାୟୀଙ୍କୁ ଜୋରିମାନା କରାଯାଇଛି। ୨୦୨୨-୨୩ରେ ୬ ଜଣଙ୍କଠାରୁ ୨୩,୫୦୦ ଟଙ୍କା, ୨୦୨୩-୨୪ରେ ୬ ଜଣଙ୍କଠାରୁ ୧.୫୫ ଲକ୍ଷ ଓ ୨୦୨୪-୨୫ରେ ୪ ଜଣଙ୍କଠାରୁ ୪୮,୦୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି।

Share