ଆଉ ହାତରୁ ଦେବାକୁ ପଡ଼ିବ ନାହିଁ ଟଙ୍କା: ବଢିଲା ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ, ଜାଣନ୍ତୁ କେତେରୁ କେତେ…

ଭୁବନେଶ୍ୱର,୨।୩: ବଢିଲା ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ । ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ୨ ଟଙ୍କା ବଢାଇଛନ୍ତି । ଏଥିପାଇଁ ସରକାର ବର୍ଷକୁ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ବଜାରରେ ଅଣ୍ଡା ଦର ବୃଦ୍ଧି ପାଇଁ ଅଙ୍ଗନଓ୍ବାାଡ଼ି କର୍ମୀ ପିଲାଙ୍କୁ ପୁଷ୍ଟିସାର ଖାଦ୍ୟ ଅଣ୍ଡା ଦେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବଜାରରେ ଅଣ୍ଡା ଗୋଟେର ଦାମ୍‌ ୮ ଟଙ୍କା ଥିବାବେଳେ ସରକାର ଦେଉଥିଲେ ୫ଟଙ୍କା । ଏହି କାରଣରୁ ଅଙ୍ଗନଓ୍ବାଡ଼ି ପିଲାଙ୍କୁ ମାସକୁ ୨୦ ବଦଳରେ ମାତ୍ର ୧୫ଟି ଅଣ୍ଡା ମିଳୁଥିଲା। ଗର୍ଭବତୀ ଓ ପ୍ରସୂତୀଙ୍କୁ ମାସିକ ୧୨ଟି ଅଣ୍ଡା ଦେବା କଥା, ମାତ୍ର ଅଙ୍ଗନଓ୍ବାଡ଼ି ଦିଦି କେଉଁଠି ୮ଟା ଆଉ କେଉଁଠି ୯ଟି ଦେଉଥିବା ଅଭିଯୋଗ ହୋଇଥିଲା ।

୨୦୧୮ ପରଠୁ ଆଉ ପିଲାଙ୍କ ପାଇଁ ଡାଏଟ ଚାର୍ଟରେ ସରକାର ସଂଶୋଧନ ହୋଇ ନ ଥିଲା। ସରକାର ଦେଉଥିବା ଅର୍ଥରେ ଆବଶ୍ୟକ ଅଣ୍ଡା ଦେବା ସମ୍ଭବ ହେଉନି ବୋଲି କର୍ମୀ ଅଭିଯୋଗ କରିଥିଲେ। କେବେକେବେ ନିଜ ହାତରୁ ବି ଟଙ୍କା ଦେବାକୁ ପଡ଼ୁଥିଲା । ତେଣୁ ଅଣ୍ଡାର ମୂଲ୍ୟ ବୃଦ୍ଧି ଲାଗି ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ସମସ୍ୟାକୁ ସ୍ବୀକାର କରିଥିଲେ । ଶେଷରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ମୂଲ୍ୟ ବୃଦ୍ଧି ହୋଇଛି ।