ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ ଏକ ଏଜୁକେଶନ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲା। କମ୍ପ୍ଲେକ୍ସ ଉଦ୍ଘାଟନ ହେବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ଏ ନେଇ ଫେବୃଆରୀ ୨୦ରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଥିଲା। ରାୟଗଡ଼ା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶରେ ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲୀପଙ୍କ ହସ୍ତକ୍ଷେପ ପରେ ଅଧିକାରୀମାନେ ମଙ୍ଗଳବାର ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଡେପୁଟି କଲେକ୍ଟର ଜନ ବଡ଼ଭୁଆଁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା, ସ୍ଥାନୀୟ ସରପଞ୍ଚ ନମେଶ ଶବର, ପୁଟାସିଂ ସରପଞ୍ଚ ଏସିଆ ଶବରଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ କୋଠାଗୁଡିକ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବହୁ ସରଞ୍ଜାମ ନଷ୍ଟ ହୋଇଥିବା, ବିଦ୍ୟୁତ୍ ସାମଗ୍ରୀ ଚୋରି ହୋଇଯାଇଥିବା ଓ କୋଠାଗୁଡ଼ିକ ଅସନା ଅବସ୍ଥାରେ ଥିବା ଦେଖା ଯାଇଥିଲା।
ଗୁଣପୁର ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ ୨୦୧୯ ଜୁଲାଇ ୮ରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ଏହି କମ୍ପ୍ଲେକ୍ସର ଉଦ୍ଘାଟନ କରାଯାଇଥିଲା। କିନ୍ତୁ ସ୍କୁଲ ଓ ହଷ୍ଟେଲ ଆଜି ପର୍ଯ୍ୟନ୍ତ ଚାଲୁ ହୋଇ ନ ଥିବାରୁ କୋଠାଗୁଡିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ସେହିପରି ସ୍କୁଲ ପରିସର ଖୋଲା ଅବସ୍ଥାରେ ଥିବା ବେଳେ ଲଟାବୁଦା ମାଡ଼ିଯାଇଥିବା ଓ ଆସବାବପତ୍ର ଉଇ ଖାଇ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଜିଲା ମଙ୍ଗଳ ବିଭାଗ ପକ୍ଷରୁ କମ୍ପ୍ଲେକ୍ସକୁ ଚଳିତ ବର୍ଷରେ ଚାଲୁ କରିବା ପାଇଁ ପ୍ରୟାସ ଚାଲିଥିବା କୁହାଯାଇଛି। ଏହାସହ ଗୁଣପୁର ଆଦିବାସୀ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ଆସନ୍ତା ଜୁନ ସୁଦ୍ଧା ଆବଶ୍ୟକ ମରାମତି କାମ ସମାପ୍ତ କରିବା ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି।